ଗୁଣୁପୁର/ରାୟଗଡା/୦୫/୩/୨୦୨୬/(ଆଧାର ମିଡ଼ିଆ)-ରାୟଗଡା ଜିଲ୍ଲା ଗୁଣୁପୁର ପୌରପରିଷଦ ଅନ୍ତର୍ଗତ ବିକ୍ରମପୁର ଠାରେ ଧୁମଧାମରେ ସମ୍ପନ୍ନ ହୋଇଛି ଦୋଳଯାତ୍ରା । ଫଗୁ ଦଶମୀ ଠାରୁ ହୋଲି ଯାଏଁ ଦୀର୍ଘ ସାତଦିନ ଧରି ଏଠାରେ ଦୋଳଯାତ୍ରା ଅନୁଷ୍ଠିତ ହୋଇଥାଏ । ଦୀର୍ଘ ୬୫ ବର୍ଷ ଧରି ପାରମ୍ପରିକ ରୀତିରେ ରାଧାକୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି ପୂଜା ପାଉ
ଛନ୍ତି । ଫଗୁ ଦଶମୀରେ ଅଷ୍ଟ ଧାତୁରେ ନିର୍ମିତ ଆକର୍ଷଣୀୟ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ମନ୍ଦିର ସିଂହ ଦ୍ୱାରକୁ ଆସିଥାନ୍ତି । ପରବର୍ତ୍ତୀ ଏକାଦଶୀ, ଦ୍ୱାଦଶୀ ଓ ତ୍ରୟୋଦଶୀ ତିଥିରେ ମଣି ବିମାନ ରେ ବିଜେ କରି ଘଣ୍ଟ ଘଣ୍ଟା, ଶଙ୍ଖ, ନାମ ସଂକୀର୍ତ୍ତନ ମେଳରେ ବିକ୍ରମପୁର ଅଞ୍ଚଳ ପରିକ୍ରମା କରିଥାନ୍ତି । ପ୍ରତ୍ୟେକଙ୍କ ଘରେ ଘରେ ଦୋଳ ଗୋବିନ୍ଦ ଙ୍କୁ ଧୂପ ଦୀପ ଆଳତୀ କରି ଭୋଗ ଲାଗି କରିଥାନ୍ତି । ଚତୁର୍ଦଶୀ ତିଥିରେ ବଂଶଧାରା ତୀରରେ ମଘା ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥାଏ । ପୂର୍ଣ୍ଣିମା ତିଥିରେ ଝୁଲଣ ଓ ଫଗୁ ଖେଳ ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥାଏ । ପରବର୍ତ୍ତୀ ଦିନରେ ରଙ୍ଗର ପର୍ବ ହୋଲି ସମସ୍ତେ ମିଳିମିଶି ପାଳନ କରିଥାନ୍ତି । ବହୁ ଦୂର ଦୁରାନ୍ତରୁ ବିକ୍ରମପୁର ଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁ ମାନଙ୍କ ସମାଗମ ହୋଇଥାଏ । ତେବେ ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ ପଡିଥିବାରୁ ଦୋଳ ପୂର୍ଣ୍ଣିମା ଫିକା ପଡିଥିଲା। ଗୁଣୁପୁର ପୌର ପରିଷଦ ମଧ୍ୟରେ ସବୁଠାରୁ ବଡ଼ ଯାତ୍ରା ବିକ୍ରମପୁର ଠାରେ ହିଁ ଅନୁଷ୍ଠିତ ହୋଇଥାଏ ।ମନ୍ଦିରର ମୁଖ୍ୟ ପୂଜକ ଶ୍ରୀ ଗଦାଧର ମହାନ୍ତି,ସୁପକାର ଦମ୍ବୁରୁଧର ପଣ୍ଡା ଓ ମନ୍ଦିରର ଟ୍ରଷ୍ଟି ମୁଖ୍ୟ ବି.ଶ୍ରୀକାନ୍ତ ଓ ଗ୍ରାମବାସୀଙ୍କ ସହଯୋଗରେ ଯାତ୍ରାଟି ସଫଳ ରୂପରେ ପରିଚାଳିତ ହୋଇଥିଲା l
Recent Comments