logo
add image
ପୁଲିସ୍ ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ବୈଠକ 

ପୁଲିସ୍ ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ବୈଠକ 

ଜମନକିରା/୧୩/୦୩/୨୦୨୬/(ଆଧାର ମିଡ଼ିଆ):ଜମନକିରା ପୁଲିସ୍ ପ୍ରଶାସନ ପକ୍ଷରୁ ବଡ଼ରମା ପଂଚାୟତ ଅଫିସ୍ ଠାରେ ଏକ ସଡ଼କ ସୁରକ୍ଷା ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଆଇଆଇସି ରଞ୍ଜନ ନାଗଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଠିତ ବୈଠକରେ ମାଜିଷ୍ଟ୍ରେଟ ତଥା ତହସିଲଦାର ପ୍ରବୀଣା ବିଲୁଙ୍ଗ, ଏସଡିପିଓ ପ୍ରଦୀପ ଦାସ, ବଡ଼ରମା ସରପଂଚ ବିଜୟ ନାଏକ, ସମିତି ସଭ୍ୟ ଆଶୋକ ବାଘ, ଏଆରଟିଓ କେ ସି ବେହେରା, ଓଡସିଂ ଉଚ୍ଚ ପ୍ରାଥମିକ ସ୍କୁଲ୍ ଶିକ୍ଷକ ଜଗମୋହନ ସିଂ ପ୍ରମୁଖ ଯୋଗଦେଇ ଥିଲେ।
ପ୍ରାରମ୍ଭରେ ମଞ୍ଚାସିନ ଅତିଥିଙ୍କ ପରିଚୟ ପରେ ଆଇଆଇସି ଶ୍ରୀ ନାଗ କହିଥିଲେ ଯେ ଗତ ୯ ତାରିଖରେ ବଡ଼ରମା ଅଞ୍ଚଳର ୩ ଜଣ ଯୁବକଙ୍କ ଅକାଳ ବିୟୋଗ ମର୍ମାହତ କରିଛି। ତେଣୁ ମଦ୍ୟପାନ କରି ବିନା ହେଲମେଟରେ ଗାଡ଼ି ଚଳାଇବା ନାହିଁ। ଏଠାରୁ ସଚେତନ ହୋଇ ଗାଁକୁ ଗଲାପରେ ଅନ୍ୟମାନଙ୍କୁ ସଚେତନ କରିବା,ଗାଡ଼ି ଚଳାଇବା ବେଳେ ସିଟବେଲ୍ଟ ବ୍ୟବହାର କରିବା, ଅନ୍ୟ ଗାଡ଼ିକୁ ଅତିକ୍ରମ କରିବା ନାହିଁ । ଏଥିସହ ସଡ଼କ ଟ୍ରାଫିକ ନିୟମ ମାନିଲେ ନିଜେ ସୁରକ୍ଷିତ ରହିବା ବୋଲି କହିଥିଲେ।
ଏଠି ସବୁଠି ସଡ଼କ ଦୁର୍ଘଟଣା ଘଟୁଛି କିନ୍ତୁ ଦୁର୍ଘଟଣା ପରବର୍ତ୍ତୀ ପାରିବାରିକ ଜୀବନ ଯନ୍ତ୍ରଣା ଉପରେ ବଡ଼ରମା ସରପଂଚ ବିଜୟ ନାଏକ କହିଥିଲେ। ସେ କହିଥିଲେ ଯେ, ବଡ଼ରମାରୁ ଗୌଡ଼ପାଲି ପର୍ଯ୍ୟନ୍ତ ଏନ୍ ଏଚ ୫୩ ରେ ପ୍ରତିଦିନ ଦୁର୍ଘଟ ଣା ମାନ ଘଟୁଛି। ଯେଉଁ ଦିନ ପର୍ଯ୍ୟନ୍ତ ଚାରି ଥାକିଆ ରାସ୍ତା ନ ହୋଇଛି ଏମିତି ଦୁର୍ଘଟଣା ବୃଦ୍ଧିପାଇ ଚାଲିଥିବ। ତେଣୁ ଗାଡ଼ି ଚଳାଇବା ବେଳେ ନିଶାସେବନ ନ କରିବା ଭଲ ବୋଲି କହିଥିଲେ। ବିଗତ ଦିନରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ତାଙ୍କ ପଞ୍ଚାୟତର ନାଏବ ସରପଞ୍ଚ ସମେତ ୱାର୍ଡ ସଭ୍ୟ/ସଭ୍ୟା ମାନେ ମିଶି ବଡ଼ରମା ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ି ତୋଳିବା ପାଇଁ ସଂପୂର୍ଣ୍ଣ ନିଶାମୁକ୍ତ କରିବାକୁ ଦାବି କରିଥିଲେ।
ବିଭିନ୍ନ ସମୟରେ ବଡ଼ରମା ଘାଟି ଦେଇ ଯାତାୟାତ କରୁଥିବା ଲମ୍ବା ଓଜନିଆ ମାଲବାହୀ ଟ୍ରକ ଗୁଡିକ ଯୋଗୁଁ ରାସ୍ତା ଜାମ ହେଉଥିବାରୁ ଘରୁ ବାହାରି ଟିକିଏ ଶୀଘ୍ର ଯିବାପାଇଁ ସମ୍ଭବ ହେଉନାହିଁ। ତେଣୁ ବାପାମା 'ମାନେ କମ୍ ବୟସର ପିଲାଙ୍କୁ ବାଇକ୍,ଗାଡ଼ିଚାବି ଆଦୌ ଦିଅନ୍ତୁ ନାହିଁ ବୋଲି କହିଥିଲେ। ବଡ଼ରମା ଗୁରୁବାର,ଷଣ୍ଢପଥର ମଙ୍ଗଳବାର ଦିନ ସାପ୍ତାହିକ ହାଟ ବସୁଥିବାରୁ ଏହା ପୂର୍ବରୁ ହମ୍ପସ ଦେବାର ବ୍ୟବସ୍ଥା କଲେ ଦ୍ରୁତଗତି ଚାଳନାକୁ ରୋକାଯାଇ ପାରିବ। ସେହିପରି ବିଶ୍ଵାଳପାଲି ବାସିନ୍ଦା ସରୋଜ ପଟେଲ୍ କହିଥିଲେ ଯେ ଆଜି ବଡ଼ରମା,ବିଶ୍ଵାଳପାଲି, ଓଡସିଂ,ଚେପଟାମ୍ୱ, ଖରମୁଣ୍ଡା,କୁରେଇବାହାଲ୍ ଆଦି ଗାଁ ଲୋକଙ୍କୁ ନେଇ ସଡ଼କ ସୁରକ୍ଷା ସଚେତନତା ଉପରେ ବୈଠକ କରାଯାଉଛି।କିନ୍ତୁ ଏନଏଚଏଆଇ କର୍ତ୍ତୃପକ୍ଷ ଏହି ବୈଠକରେ ଅନୁପସ୍ଥିତ ଥିବାରୁ କାହାକୁ ନେଇ ବୈଠକ କରାଯାଉଛି ବୋଲି ଜାଣିବାକୁ ଚାହିଁ ଥିଲେ।
ଏନ୍ ଏଚ୍ ୫୩ ଚାରି ଥାକିଆ ହେଉ ନଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଛି ବୋଲି କୁତଵ୍ ଗାଁର ଜୟରାମ ସିଂ କହିଥିଲେ ।ଖରମୁଣ୍ଡା ବାସିନ୍ଦା ଅରୁଣ ମାକର କହିଥିଲେ ଯେ ଏହିରାସ୍ତା ପାର୍ଶ୍ଵକୁ ଲାଗି ୨/୩ ଫୁଟ୍ ଭିତରେ ଯେଉଁ ଗାର୍ଡ ୱାଲ୍ ଦିଆ ଯାଇଛି ହଠାତ୍ ଏକ ମାଲବୋଝେଇ ଗାଡ଼ି ମାଡ଼ି ଆସିଲେ ତୁରନ୍ତ ବାହାରକୁ ଚାଲିଯିବାକୁ କୌଣସି ସୁଯୋଗ ମିଳୁନାହିଁ । ବଡ଼ରମା ଆଶ୍ରମ ସ୍କୁଲରେ ଅନ୍ତେବାସୀ ଭାବେ ରହୁଥିବା ପ୍ରାୟ ୭୦/୮୦ ଜଣ ଛାତ୍ର ଛାତ୍ରୀ ଏନ୍ ଏଚ୍ ୫୩ ପାର ହୋଇ ବନଦୁର୍ଗା ହାଇସ୍କୁଲକୁ ପାଠ ପଢ଼ିବା ପାଇଁ ଯାଉଛନ୍ତି। ତେଣୁ କେତେ ବେଳେ ଯେ ଅଘଟଣ ଘଟିବ କହି ହେଉ ନାହିଁ, ତେଣୁ ଏନ୍ ଏଚ ୫୩ ଆଶ୍ରମ ସ୍କୁଲ୍ ସମ୍ମୁଖରେ ଓଭର୍ ବ୍ରିଜ ନିର୍ମାଣ କରାଗଲେ ସମସ୍ତ ଛାତ୍ର ଛାତ୍ରୀ ସୁରକ୍ଷିତ ଭାବେ ଯା' ଆସ କରି ପାଠ ପଢ଼ି ପାରିବେ ବୋଲି ଶିକ୍ଷକ ଆକାଶ ପଟେଲ୍ କହିଥିଲେ।
କୁଚିଣ୍ଡା ଏସଡିପିଓ ଶ୍ରୀ ଦାଶ କହିଲେ ଯେ, ଏହି ଦାବି ଗୁଡିକ ଜିଲ୍ଲାପାଳ ଙ୍କ କ୍ଷମତା ପରିସରଭୁକ୍ତ ଅଟେ। ଜିଲ୍ଲାପାଳ ଙ୍କୁ ପତ୍ର ମାଧ୍ୟମରେ ଜଣାଇ ବ୍ୟବସ୍ଥା କରିବା ଓ ରାଜପଥ ସଂସ୍ଥା ସହ ଆଲୋଚନା କରି ରାସ୍ତା ଉନ୍ନତି କରଣ ନେଇ ପଦକ୍ଷେପ ନିଆଯିବ। ମଦ୍ୟପାନ କରି ଗାଡି ନ ଚଳାଇବା ଓ ବାଇକ ଚଳାଇବା ବେଳେ ହେଲମେଟ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ।  ତହସିଲଦାର ଶ୍ରୀମତୀ ବିଲୁଙ୍ଗ କହିଛନ୍ତି ଯେ, ମୃତ ଯୁବକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି, ମୁଖ୍ୟମନ୍ତ୍ରୀ ସହାୟତା ଫଣ୍ଡ ରୁ ସହାୟତା ପ୍ରଦାନ ପାଇଁ ପଦକ୍ଷେପ ନିଆଯାଇଥିବା ନେଇ ସୂଚନା ଦେବା ସହିତ ସରକାର ଙ୍କ  ବିଭିନ୍ନ ଯୋଜନା ସମ୍ପର୍କରେ ଜଣାଇଥିଲେ। ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ଲକି ଡ୍ର ମଧ୍ୟରେ କିଛି ଲୋକଙ୍କୁ ହେଲମେଟ ବଣ୍ଟନ କରିଥିଲେ । ଆଗାମୀ ଦିନରେ ଯାଞ୍ଚ କଡାକଡି କରାଯିବ ବୋଲି ପରିବହନ ଅଧିକାରୀ କହିଥିଲେ ।
ସୂଚନା ଯୋଗ୍ୟ ଯେ, ମୁମ୍ବାଇ ସହ କଲିକତା କୁ ସଂଯୋଗ କରୁଥିବା ୫୩ନଂ ଜାତୀୟ ରାଜପଥର ଉନ୍ନତି କରଣ ହୋଇଥିବାବେଳେ ଗୌଡ଼ପାଲି ଠାରୁ ଷଣ୍ଢପଥର ୨୭ କିମି ରାସ୍ତାର ଉନ୍ନତି କରଣ ହୋଇପାରିନାହିଁ। ଏହି ରାସ୍ତା ମଧ୍ୟରେ ଉଷାକୋଠି ବନ୍ୟପ୍ରାଣୀ ଅଭୟରଣ୍ୟ ସମେତ ବଡରମା ଘାଟି ରହିଛି । କେନ୍ଦ୍ର ସରକାରଙ୍କ ଗ୍ରୀନ ଟ୍ରିବ୍ୟୁନାଳ ଅନୁମତି ମିଳିବାରେ ବିଳମ୍ବ ହେଉଥିବାରୁ ଚାରି ଥକିଆ ରାସ୍ତା ନିର୍ମାଣ ଅନିଶ୍ଚତା ମଧ୍ୟରେ ରହିଛି । ଏହି ୨୭ କିମି ରାସ୍ତା ମଧ୍ୟରେ ବାରମ୍ବାର ଦୁର୍ଘଟଣା ଘାଟି ଜୀବନହାନୀ ଘଟି ଚାଲିଛି ।  ଏହାକୁ ନେଇ ଅଞ୍ଚଳବାସୀ ଅନେକ ସମୟରେ  ରାସ୍ତା ଅବରୋଧ କରି ଆନ୍ଦୋଳନ କରନ୍ତି ।  ଆଜିର ବୈଠକରେ ହୋଇଥିବା ଦାବି ପୂରଣ ନହେଲେ ଆଗାମୀଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

Recent Comments

Leave Comments

Top