logo
add image
ଶୁଭୁନି ଆଉ କିଚିରିମିଚିରି ଶବ୍ଦ; ଲୋପ ପାଇଲାଣି ଘରଚଟିଆ ବଂଶ 

ଶୁଭୁନି ଆଉ କିଚିରିମିଚିରି ଶବ୍ଦ; ଲୋପ ପାଇଲାଣି ଘରଚଟିଆ ବଂଶ 

ବାଲିଗୁଡା/୨୦/୦୩/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):ଜଳବାୟୁ ପରିବର୍ତ୍ତନ ସହିତ ଧରାପୃଷ୍ଠରୁ ବହୁ ଜୀବଜନ୍ତୁ ମଧ୍ୟ ଧିରେ ଧିରେ ଲୋପ ପାଇବାରେ ଲାଗିଛି I ଦିନଥିଲା ଗାଆଁ ଗହଳରେ ମାଆମାନେ ଘର ଚଟିଆକୁ ଦେଖାଇ ନିଜ ଛୁଆର ଅଝଟ ପଣ ଦୂରକରିବା ସହିତ ଘରଚଟିଆ ସମ୍ପର୍କରେ ନାନା ଗୀତଗାଇ ନିଜ ଛୁଆକୁ ଖୁଆଇ ଦେଉଥିଲା I ଅଗଣା ଚାଳରେ ବସା ବାନ୍ଧିଥିବା ଘରଚଟିଆ ଗୁଡ଼ିକ ମଧ୍ୟ କିଚିରି ମିଚିରି ଶବ୍ଦକରି ଘୁରି ବୁଲୁଥିଲେ ଅଗଣା ସାରା I କିନ୍ତୁ ମଣିଷ ଚାଳଘର ଭାଙ୍ଗି ନିଜପାଇଁ ଛାତଘର ତୋଳିବା ପରେ ଘରଚଟିଆ ମାନେ ବାସ ହରା ହୋଇପଡ଼ି ଲେ I କ୍ରମାଗତ ଭାବେ ଲୋପ ପାଇଲା ଘର ଚଟିଆଙ୍କ ବଂଶ I ଏହା ସହିତ ମୋବାଇଲ୍ ଟାୱାର୍ ଗୁଡ଼ିକର ବିକିରଣର କୁପ୍ରଭାବ ମଧ୍ୟ ପଡିଛି ଘର ଚଟିଆଙ୍କ ଜୀବନ ଶୈଳୀ ଉପରେ ଇ
ବର୍ତ୍ତମାନ ଗାଆଁ ଗହଳିରେ ଖୁବ୍ କମ୍ ସଂଖ୍ୟାରେ ଦେଖିବାକୁ ମିଳୁଛନ୍ତି ଘର ଚଟିଆ I ବିଶେଷ କରି ବିଭିନ୍ନ ବିଦ୍ୟାଳୟ, କୋଠା ଘରର ଛାତ ତଳେ ବାୟୁ ଚଳାଚଳ ପାଇଁ ଥିବା ରାସ୍ତାରେ ଘର ଚଟିଆ ମାନେ ନିଜର ବସା ବାନ୍ଧି ରହୁଥିବା ଦେଖିବାକୁ ମିଳୁଛି I କିନ୍ତୁ ଘର ଏବଂ ବିଦ୍ୟାଳୟ ସଫେଇ କରିବା ଆଳରେ ଘର ମାଲିକ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଘର ଚଟିଆ ବସା ଗୁଡ଼ିକୁ ବାହାର କରି ଫୋପାଡ଼ି ଦେଉଥିବା ଦେଖିବାକୁ ମିଳିଛି I ସେହିପରି ଘରେ ରହୁଥିବା ଘର ଚଟିଆ ଗୁଡ଼ିକ ବେଳେ ବେଳେ ବିରାଡି ଦ୍ୱାରା ଶିକାର ହେବା ସହିତ ବହୁ ସମୟରେ ଘରର ପଙ୍ଖା ଏବଂ ଅନ୍ୟାନ୍ୟ ଆସବାବପତ୍ର ସହିତ ଧକ୍କା ହୋଇ ମୃତ୍ୟୁ ବରଣ କରିଥାନ୍ତି I
ଅନ୍ୟପକ୍ଷରେ କିଛି ସହୃଦୟ ବ୍ୟକ୍ତି ନିଜଘର ଆଗରେ ବାଉଁଶ ଟୋକେଇ,ମାଟି ହାଣ୍ଡିରେ ଘରଚଟିଆ ବସା ତିଆରି କରି ଘରଚଟିଆ ଗୁଡ଼ିକୁ ଆଶ୍ରୟ ଦେଉଥିବା ଦେଖିବାକୁ ମିଳୁଛି I କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ ଭଳି ପ୍ରତୀୟମାନ ହେଉଛି I ପ୍ରତିବର୍ଷ ମାର୍ଚ୍ଚ କୋଡିଏ ତାରିଖରେ କାଗଜ ପତ୍ରରେ ପାଳନ କରାଯାଉଛି ଘରଚଟିଆ ଦିବସ I କିନ୍ତୁ ଘର ଚଟିଆଙ୍କ ସୁରକ୍ଷା ପାଇଁ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ପାରୁନାହିଁ I ତେଣୁ ଘରା ଚଟିଆ ସୁରକ୍ଷା ଦିଗରେ ସରକାର ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି I
ବିଶେଷ କରି ଗ୍ରାମାଞ୍ଚଳର ପ୍ରକୃତି ପ୍ରେମୀ ମାନଙ୍କୁ ଘର ଚଟିଆର ସୁରକ୍ଷା ପାଇଁ ସ୍ଵତନ୍ତ୍ର ରୂପେ ତାଲିମ ପ୍ରଦାନ କରାଯିବା ସହିତ ପ୍ରୋତ୍ସାହିତ କରିବା ଉଚିତ୍ I ସେହିପରି ବିଦ୍ୟାଳୟରେ ଥିବା ବଗିଚା ଗୁଡ଼ିକରେ ଘର ଚଟିଆଙ୍କ ପାଇଁ ସ୍ଵତନ୍ତ୍ର ଘର ପ୍ରସ୍ତୁତ କରାଯାଇ ପାରିଲେ ବିଦ୍ୟାଳୟ ସ୍ତରରୁ ମଧ୍ୟ ଘରଚଟିଆ ସୁରକ୍ଷା ଅଭିଯାନ ହୋଇପାରନ୍ତା ବୋଲି ବିଭିନ୍ନ ମହଲ ରୁ ମତ ପ୍ରକାଶପାଉଛି I

Recent Comments

Leave Comments

Top