ଗୁଣୁପୁର/ରାୟଗଡା/୧ /୧ /୨୦୨୫ / (ଆଧାର ମିଡ଼ିଆ )-ଆଜି ଇଂରାଜୀ ନୂଆବର୍ଷ । ସବୁଆଡେ ଆନନ୍ଦ ଉଲ୍ଲାସର ମାହୋଲ । ବିଭିନ୍ନ ଲୋକ ବିଭିନ୍ନ ଢଙ୍ଗରେ ଏହି ନୂଆବର୍ଷକୁ ପାଳନ କରିଛନ୍ତି । ତେବେ ଗୁଣୁପୁର ଉପଖଣ୍ଡ ପ୍ରଶାସନ ଚଳିତବର୍ଷ ନିଆରା ଢଙ୍ଗରେ ନବବର୍ଷ ପାଳନ କରିଛି । ଆଜି ଗୁଣୁପୁର ଉପଜିଲ୍ଲାପାଳ ସୁଶ୍ରୀ କିରଣ ଦୀପ କୌର ସହତା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଶୁଭ୍ରଞ୍ଜଳି ପ୍ରଧାନ, ରାମାନଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ବ୍ଲକ୍ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା ପ୍ରମୁଖ ଲିମାମେଡା ଠାରେ ଥିବା ବାଳ ନିକେତନ ଶିଶୁଯତ୍ନ ଅନୁଷ୍ଠାନ ପରିସରରେ ଅନ୍ତେବାସୀଙ୍କ ଗହଣରେ ନୂଆବର୍ଷ ପାଳନ କରିଥିଲେ । ପିଲାଙ୍କୁ ପାଠ୍ୟପକରଣ,ମିଷ୍ଟାନ୍ନ ଇତ୍ୟାଦି ବଣ୍ଟନ କରିଥିଲେ । ଅନ୍ତେବାସୀଙ୍କ ସହ ନୃତ୍ୟ ଗୀତ ମାଧ୍ୟମରେ ବେଶ ଆଳାପ ଆଲୋଚନା କରିଥିଲେ ।ପରେ ଅନୁଷ୍ଠାନ ପରିସରରେ ବୃକ୍ଷ ରୋପଣ କରିଥିଲେ । ଅନୁଷ୍ଠାନ ପ୍ରତିଷ୍ଠାତା ବାଞ୍ଛାନିଧି ମହାନ୍ତିଙ୍କ ସହ କିଛି ସମୟ ଆଲୋଚନା କରିଥିଲେ । ଶ୍ରୀ ମହାନ୍ତିଙ୍କ ଜୀବନ ବ୍ୟାପି ତ୍ୟାଗ ଓ ସେବାକୁ ଭୁୟସୀ ପ୍ରଶଂସା କରିବା ସହ ବର୍ତ୍ତମାନ ଅନୁଷ୍ଠାନର ସୁପରିଚାଳନା, ସ୍ୱଚ୍ଛ ପରିବେଶ ଓ ଶୃଙ୍ଖଳା ବହୁତ ଉଚ୍ଚ କୋଟିର ବୋଲି କହିଥିଲେ । ଅନୁଷ୍ଠାନର ଉନ୍ନତି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ । ସେହିଭଳି ଅନୁଷ୍ଠାନ ସଭାପତି ଏଲ ସୁରେଶଙ୍କ ଉପସ୍ଥିତିରେ ୪ ଜଣ ଅନ୍ତେବାସୀଙ୍କ ଜନ୍ମ ଦିବସ ଆଜି ପାଳନ କରାଯାଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ପରିଚାଳକ ଅକ୍ଷୟ ରଞ୍ଜନ ମହାନ୍ତି, ପରାମର୍ଶଦାତା ଅଜିତ୍ ମହାନ୍ତି,ଗୃହପିତା ଅଖିଳ ମହାନ୍ତି, ମାତା ସାରଥି ଦେବୀ, ଯତ୍ନକାରୀ ଶୁଭ୍ରଜିତ ମହାନ୍ତି, ବଳରାମ ପଣ୍ଡା, ସୂର୍ଯ୍ୟ କୁମାର ମହାରଥୀ, ରମେଶ ଶବର, ଅମିତ କୁମାର, ନବୀନ ଗୁରୁ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
Recent Comments