ବଲାଙ୍ଗିର/ ୦୯/୦୧/୨୦୨୫/( ଆଧାର ମିଡ଼ିଆ) ଗତକାଲି ଟିଟିଲାଗଡ଼ର ତିନିଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ବିଦ୍ୟୁତ ବିଭାଗର ଅଧିକାରୀ ଅତର୍କିତ ଆକ୍ରମଣ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛନ୍ତି l ଗଣମାଧ୍ୟମର କଣ୍ଠରୋଧ କରିବାର ଏହି ହୀନ ପ୍ରୟାସକୁ ଷ୍ଟେଟ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ(ଏସ୍ ୟୁ ଜେ) ବଲାଙ୍ଗୀର ଶାଖା ଦୃଢ଼ନିନ୍ଦା କରିଛି l ଆଜି ଏସ୍ .ୟୁ.ଜେ ର ସଭ୍ୟମାନେ ବଲାଙ୍ଗୀର ଜିଲ୍ଲାପାଳ ଓ ବଲାଙ୍ଗୀର ଏସ୍ ପି ଙ୍କୁ ସାକ୍ଷାତ କରି ସଂଘ ତରଫରୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଦୋଷୀ ଅଧିକାରୀଙ୍କୁ ତୁରନ୍ତ ଗିରଫ୍ କରିବା ସହ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି l ସାମ୍ବାଦିକ ସୁରକ୍ଷା ଆଇନକୁ ସରକାର ତୁରନ୍ତ ପ୍ରଣୟନ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି lଏସ ୟୁ ଜେ ର ସଭାପତି ଶରତ ମହାକୁଡଙ୍କ ନେତୃତ୍ଵରେ ସଂଘର ସାଧାରଣ ସଂପାଦକ ରଘୁନନ୍ଦନ ସିଂହ,ରାଜ୍ୟ ଉପସଭାପତି ମହେନ୍ଦ୍ର ଦର୍ଜି, ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ସତପଥୀ, ଶ୍ରୀମନ୍ତ ପଣ୍ଡା, ଚନ୍ଦ୍ରଭାନୁ ମୌଲାନା, ବଳରାମ ମିଶ୍ର, ପବନ ବଂଶଲ,ରାଧାକୃଷ୍ଣ ମିଶ୍ର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି l ଠିକ୍ ସେହିପରି ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହିତ ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍. ପି ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି,
ସୂଚନାଯୋଗ୍ଯ ଯେ, ଗତକାଲି ଟିଟିଲାଗଡ଼ ବ୍ଲକ ବିନେକେଲା ପଞ୍ଚାୟତ ଟିମନଭାଡି ଗାଁର ଉଚ୍ଛବ ପୋଢ଼ ନାମକ ଜଣେ ବ୍ୟକ୍ତିଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ବେଳେ ମକରନ୍ଦ ପୋଢ଼ ନାମକ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିଲେ l ଏହି ଘଟଣା ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଓ-ଟିଭି ପ୍ରତିନିଧି ଅଭିଳାଷ ନନ୍ଦ, ନକ୍ଷତ୍ର ଟିଭିର ସଞ୍ଜୟ ବେହେରା ଓ ସମୟ ଖବରକାଗଜର ପ୍ରତିନିଧି ତରୁଣ ବେହେରା ଟିଟିଲାଗଡ଼ ଟି ପି ଡବ୍ଲ୍ୟୁ ଓ ଡି ଏଲ୍ ଅଫିସ କୁ ଯାଇଥିଲେ l ଏହି ସମୟରେ ବିଦ୍ୟୁତ ବିଭାଗର ଅଧିକାରୀ ମାନେ ଖୋଲାନ ନିକଟସ୍ଥ ଲାନ୍ଥ ନଦୀ କୂଳରେ ଭୋଜି କରୁଥିବା ଜାଣି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ନେବାପାଇଁ ସେଠାକୁ ଯାଇଥିଲେ l ତେବେ ସେଠାରେ ବିଦ୍ୟୁତ ବିଭାଗ ଅଧିକାରୀ ମାନେ କର୍ତ୍ତବ୍ୟରତ ଏହି ତିନି ସାମ୍ବାଦିକଙ୍କୁ ହଠାତ୍ ଆକ୍ରମଣ କରିବା ଆରମ୍ଭ କରିଥିଲେ l ଆକ୍ରମଣରେ ଏମାନଙ୍କ ଦେହର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି l ଏ ସମ୍ପର୍କରେ ସାମ୍ବାଦିକଙ୍କ ପକ୍ଷରୁ ଟିଟିଲାଗଡ଼ ଥାନାରେ ଏତଲା ଦିଆଯାଇଛି l ଗରିବ ନିଷ୍ପେଷିତ ଲୋକଙ୍କ ଅଧିକାର ପାଇଁ ସ୍ଵରଉତ୍ତୋଳନ କରୁଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପରେ ଏପରି ଆକ୍ରୋଶମୂଳକ ଆକ୍ରମଣକୁ ସାମ୍ବାଦିକ ମହଲରେ ତୀବ୍ର ନିନ୍ଦା କରାଯାଇଛି l
Recent Comments