ଭଟଲି/ବରଗଡ଼/୧୧/୧/୨୦୨୫(ଆଧାର ମିଡ଼ିଆ): ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମୀନାଙ୍କ ନିର୍ଦ୍ଦେଶ କ୍ରମେ ତଥା ଭଟଲି ଥାନାଧିକାରୀ ବିଭୂତି ଭୂଷଣ ଦଳେଇଙ୍କ ତତ୍ୱାବଧାନରେ ଏ.ଏସ୍.ଆଇ ସ୍ନେହଲାତା ପଣ୍ଡା ହାବିଲଦାର କିର୍ତି ସୁରିନ ଏବଂ ଅନ୍ୟ କର୍ମଚାରୀ ମାନେ ଭଟଲି ଥାନା ନୂଆଁପାଲି ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ହଲଦିପାଲି ବ୍ରିଜ ନିକଟ ଗିରିସୁଲ ନଦୀ ଠାରେ ଚାରିଗୋଟି ଟ୍ରାକ୍ଟରରେ ବେଆଇନ ବାଲି ଚୋରାଚାଳାଣ ହେଉଥବା କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ । ସଙ୍ଗେ ସଙ୍ଗେ ସଦଳବଳ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିବା ପରେ ନଦୀରୁ ଗାଁ ପଟକୁ ଆସୁଥିବା ଓଡି୧୭ଏଚ୍ ୫୦୧୯, ଓଡି୧୭ଏଚ୍ ୫୨୬୭, ଓଡି୧୭ଏଫ୍ ୪୩୯୨ ନମ୍ବର ବିଶିଷ୍ଟ ତିନୋଟି ଏବଂ ଗୋଟିଏ ନମ୍ବର ବିହୀନ ନୂତନ ଟ୍ରାକ୍ଟରରେ ବାଲି ଭର୍ତ୍ତି କରି ଯାଉଥିବା ଦେଖି ଅଟକ ରଖିଥିଲେ । ଡ୍ରାଇଭର ମାନଙ୍କୁ ପଚରାଉଚରା କରିବା ପରେ କୌଣସି ଲାଇସେନ୍ସ ତଥା କାଗଜପତ୍ର ନଥାଇ ବାଲି ଚୋରାଚାଳାଣ କରୁଥିବା ସ୍ୱୀକାର କରିଥିଲେ । ସମସ୍ତ ଡ୍ରାଇଭର ମାନଙ୍କ ସମେତ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ଭଟଲି ଥାନାକୁ ଅଣାଯାଇଥିଲା ଏବଂ ସେମାନଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା ୨୦୨୩ ଅନୁଯାୟୀ ୩୦୩(୨)/୩୧୭(୨), ଖଣି ଏବଂ ଖଣିଜ ସମ୍ପଦ ଉନ୍ନୟନ ଓ ବିନିମୟ ଆଇନ ୧୯୫୭ ଅନୁଯାୟୀ (୨୧(୧) ରେ ମାମଲା ରୁଜୁ କରି କୋର୍ଟ ଚାଲଣ କରିଛନ୍ତି। ପ୍ରକାଶ ଥାଉ କି ଭଟଲି ବ୍ଲକର ବିଭିନ୍ନ ନଦୀ ନାଳରୁ ବେଆଇନ ଭାବରେ ବାଲି ଚୋରା ଚାଲାଣ ହେଉଥିବା ଭଟଲି ବିଧାୟକ ବିଧାନସଭା ଅଧିବେଶନରେ ଅଭିଯୋଗ କରିଥିଲେ। ଚଳିତ ଧନୁଯାତ୍ରା ମହୋତ୍ସବରେ ବିଭାଗୀୟ ମନ୍ତ୍ରୀ ବରଗଡ଼ ଆସିଥିବା ବେଳେ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ରୋକ୍ ଲଗାଇବା ସହିତ ସେହି କାର୍ଯ୍ୟରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଭଟଲି ବ୍ଲକରେ ସମୁଦାୟ ୨୧ ଗୋଟି ଲଘୁ ଖଣିଜ ସମ୍ପଦର ଉର୍ଷ ଥିବାବେଳେ ତନ୍ମଧ୍ୟରୁ ୧୮ଗୋଟିର ଲିଜ୍ ବୈଧ୍ୟ ରହିଛି। ପୂର୍ବରୁ ରାଜସ୍ବ ବିଭାଗ ଏହି ବିଷୟ ଦେଖୁଥିବା ବଳେ କିଛି ମାତ୍ରାରେ ରୋକ୍ ଲଗାଇବାରେ ସକ୍ଷମ ଥିଲା। ଏବେ ଏହା ସମ୍ପୂର୍ଣ୍ଣ ଭାବରେ ଓଡ଼ିଶା ଖଣି ବିଭାଗ ହାତକୁ ନେଇଛି। ବାଲି ଏବଂ ମାଟି ଚୋରି ରୋକିବାରେ ଜିଲ୍ଲା ଖଣି ଅଧିକାରୀଙ୍କ ପଦକ୍ଷେପ ସନ୍ତୋଷ ଜନକ ନୁହେଁ । ବେଆଇନ ବାଲି ଚୋରା ଚାଲାଣ କାର୍ଯ୍ୟରେ ଲିପ୍ତ ଥିବା ବଡ଼ ବଡ଼ ହସ୍ତୀ ଗଳି ଯାଉଥିବା ବେଳେ କୁଚିଆ ଟ୍ରାକ୍ଟର ବାଲାଙ୍କୁ ଧରି ବିଭାଗୀୟ ଅଧିକାରୀ କଣ ସାବ୍ୟସ୍ତ କରିବାକୁ ଚାହୁଛନ୍ତି ତାହା ପ୍ରଶ୍ନବାଚୀ।
Recent Comments