ଭଟଲି/ବରଗଡ଼/୨୧/୨/୨୦୨୫(ଆଧାର ମିଡ଼ିଆ): କୋଟି କୋଟି ଟଙ୍କାର ବ୍ୟୟ ଅଟକଳ ରେ ନିର୍ମିତ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ସବୁବେଳେ କିଛି ନା କିଛି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। କେତେବେଳେ ମୋବାଇଲ ଟର୍ଚ୍ଚରେ ଚିକିତ୍ସା ତ କେତେବେଳେ ଡାକ୍ତର ସମସ୍ୟା, ତ ଆଉ କେତେବେଳେ ଔଷଧ ସମସ୍ୟା । ଏଭଳି ଅନେକ ସମସ୍ୟା ସହିତ ଯୋଡି ହୋଇ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବରଗଡ଼ରେ ଗୁରୁବାର ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ବରଗଡ଼ ସହର ହାଟପଦା ନିବାସୀ ଗୋପାଳ ଯଶ୍ୱାଳ ଅସୁସ୍ଥ ଅନୁଭବ କରିବା ପରେ ପରିବାର ଲୋକେ ପ୍ରଥମେ ସହର ମଧ୍ୟରେ ରହିଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଞ୍ଚିବା ବେଳକୁ ଡାକ୍ତର ରକ୍ତ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ ମାତ୍ର ରକ୍ତ ପରୀକ୍ଷା କରିବା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଇନରେ ଛିଡା ହେବା ପରେ ଉକ୍ତ ପରୀକ୍ଷା ହେବ ନାହିଁ ବୋଲି ଲେବ ଟେକନିସିଏନ୍ କହିଥିଲେ। କାହିଁକି ହେବ ନାହିଁ ବୋଲି ପରିବାର ଲୋକେ କାରଣ ପଚାରିବାରୁ ୧୫ ଦିନ ହେଲା ରିଜଏଣ୍ଟ ସରିଯାଇଥିବା ବିଷୟରେ କହିଥିଲେ ହସ୍ପିଟାଲ କର୍ମଚାରୀ। ଷ୍ଟକ୍ ସରିଯାଇଥିବା ବିଷୟରେ ବାରମ୍ବାର କହିବା ପରେ ମଧ୍ୟ ଷ୍ଟୋର ଇନଚାର୍ଜ ଯୋଗାଇ ଦେଉନଥିବାରୁ ଟେଷ୍ଟ ହେଇପାରୁନାହିଁ କହି ହସ୍ପିଟାଲ କର୍ମଚାରୀ ନିଜର ଅସହାୟତା ପ୍ରକାଶ କରିଥିଲେ। ଆବଶ୍ୟକୀୟ ଉପକରଣ ଅଭାବରୁ ଆଲବୁମିନ, ପ୍ରୋଟିନ, ପୋଟାସିୟମ, ସୋଡିୟମ, ୟୁରିକ ଏସିଡ, ସିରାମ ୟୁରିଆ ଭଳି ସାଧାରଣ ଟେଷ୍ଟ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ହୋଇ ପାରୁନାହିଁ ଯାହା ଫଳରେ ଲୋକେ ଘରୋଇ ଚିକିତ୍ସାଳୟରେ ଉପଚାର କରି ଅଧିକ ଖର୍ଚ୍ଚାନ୍ତ ହେବା ପାଇଁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ଖେଦାପାଲିରୁ ବରଗଡ଼ ଆସି ରକ୍ତ ପରୀକ୍ଷା କରାଇ ନେବା ପରେ ଆଉ ଡାକ୍ତର ରହୁନଥିବାରୁ ଚିକିତ୍ସାରେ ଅବହେଳା ହେଉଥିବା ନେଇ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଏଭଳି ନାହିଁ ନଥିବା ସମସ୍ୟା ଘେରରେ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ତା ଚାଲୁ ରହିଥିବା ବେଳେ ଗତ କିଛି ମାସ ପୂର୍ବରୁ ୧୮କୋଟି ୨୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା କ୍ରିଟିକାଲ କେୟାର ସେଣ୍ଟର ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟନ ହେବା ପରେ ମଧ୍ୟ ଦୀର୍ଘ ଚାରିମାସ ହେଲା ତାଲା ପଡ଼ିରହିବା ସ୍ୱାଭାବିକ ଅଟେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିରୁପମା ଷଡ଼ଙ୍ଗୀଙ୍କୁ ପଚାରିବାରୁ କେମିକାଲ ଯୋଗାଇ ଦେଉଥିବା କିଛି କମ୍ପାନୀରେ ପଇସା ବାକି ରହି ଯାଇଥିବାରୁ ସେମାନେ କେମିକାଲ ଯୋଗାଇବାରେ ବିଳମ୍ବ କରୁଥିଲେ ଆଜି ସେ ସମସ୍ତଙ୍କର ବାକି ଟଙ୍କା ଦେଇ ଦିଆଯାଇଛି ଆସନ୍ତା କାଲି ସମସ୍ତ କେମିକାଲ ଉପଲବ୍ଧ ରହିବା ସହିତ ସମସ୍ତ ସୁବିଧା ଯୋଗାଇ ଦିଆଯିବା ସୂଚନା ଦେଇଥିଲେ। ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରତ୍ୟେକ ଦିନ ପାଞ୍ଚ ଶହରୁ ଉର୍ଦ୍ଧ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ପ୍ରତ୍ୟେକ ଦିନ ୨୦୦ରୁ ଅଧିକ ରୋଗୀଙ୍କ ରକ୍ତ ପରୀକ୍ଷା କରାଯାଉଥିବା ବେଳେ ସେମାନଙ୍କୁ ଦୀର୍ଘ ୧୫ ଦିନରୁ ଉର୍ଦ୍ଧ ହେଲା ଉକ୍ତ ପରୀକ୍ଷା ସେବାରୁ ବଞ୍ଚିତ ରହିଥିଲେ ମଧ୍ୟ ସମସ୍ୟା ବିଷୟରେ କାହାରି ତତ୍ପରତା ନାହିଁ ଯାହାକୁ ନେଇ ବରଗଡ଼ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ଏହା ସ୍ୱାସ୍ଥ୍ୟ ବିଭାଗର ଅବହେଳା ନାଁ ସରକାରଙ୍କ ଅପାରଗତା ?
Recent Comments