ପୁରୀ,୨୨/୨(ଆଧାର ମିଡ଼ିଆ)ଇକୋନୋମୀ କରିଡର ଲକ୍ଷ୍ୟ ରେ ପର୍ଯ୍ୟଟକ ଙ୍କ ସୁବିଧା ଓ ସୁରକ୍ଷା ପାଇଁ ବିଭିନ୍ନ ଜିଲ୍ଲାର ପର୍ଯ୍ୟଟନ ସ୍ଥଳକୁ ନେଇ ସଫାରୀ ସର୍କିଟର ବ୍ୟବସ୍ଥା ଓ ଟୁରିଜିମ ଜୋନିଂ ବା ପର୍ଯ୍ୟଟନ ଜୋନ ବ୍ୟବସ୍ଥା ପାଇଁ ମତ ଦେଇଛନ୍ତି ନୀତି ଆୟୋଗ।ଏହି ସର୍କିଟରେ କଟକ,ଖୋର୍ଦ୍ଧା,ପୁରୀ ଓ ପାରାଦୀପ କୁ ସାମିଲ କରାଯିବାର ଚିନ୍ତା କରାଯାଉଛି।ଆଜି ଅପରାହ୍ନ ରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ସିଟି ଆଜ୍ ଗ୍ରୋଥ ହବ ବା ସହରାଞ୍ଚଳର ବିକାଶ ସମ୍ପର୍କରେ ନୀତି ଆୟୋଗ ର ପ୍ରତିନିଧି ମଣ୍ଡଳ ପୁରୀ ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ କୁ ସମୀକ୍ଷା କରିଥିଲେ।ଏଥିରେ ଅଧ୍ୟକ୍ଷତା କରି ଆୟୋଗର ପ୍ରମୁଖ ଅର୍ଥ ପରାମର୍ଶଦାତା ଓ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ମିସ ଅନା ରଏ ବିଭିନ୍ନ ବିଭାଗର ଯୋଜନା ଗୁଡିକ ମଧ୍ୟରେ ବିଶେଷତ୍ୱ କ'ଣ ରହିଛି ଓ କେଉଁ କେଉଁ କ୍ଷେତ୍ରରେ ଅଧିକ ଫୋକସ କରାଯାଇ ପାରିବ,ତାହାର ବଜାର ବ୍ୟବସ୍ଥା କରାଯାଇ ପାରିବ, ବ୍ୟକ୍ତି ବା ଗୋଷ୍ଠୀ ଙ୍କୁ ସାମିଲ କରାଯାଇ ପାରିବ,ଲୋକ ଙ୍କୁ ଜୀବିକା ଯୋଗାଇ ଦିଆଯାଇ ପାରିବ ବୋଲି ଜିଜ୍ଞାସା କରିଥିଲେ।ଯାହା ଫଳରେ ନୀତି ଆୟୋଗ ସେ ସମ୍ପର୍କରେ ଅନୁଧ୍ୟାନ ସହ ଆର୍ଥିକ ସହାୟତା,ବୈଷୟିକ ପରାମର୍ଶ ଓ ବିବିଧ ସହଯୋଗ ଯୋଗାଇବାରେ ସକ୍ଷମ ହୋଇ ପାରିବ ବୋଲି କହିଥିଲେ।ଉଦ୍ୟାନ କୃଷି,ଛତୁ ଚାଷ,ଫୁଲ ଚାଷ,କୁକୁଡ଼ା ଚାଷ,ମତ୍ସ୍ୟ ଚାଷ,ପର୍ଯ୍ୟଟନ ଇତ୍ୟାଦି ଗୁଡିକରେ ଅଧିକ ଦୃଷ୍ଟି ଦିଆଯାଇ ପାରିବ ବୋଲି ଶ୍ରୀମତୀ ରଏ ସୂଚନା ଦେଇଥିଲେ। ନୀତି ଆୟୋଗ ଓ ଜିଲ୍ଲା ପ୍ରଶାସନ ର ବିସ୍ତୃତ ଅନୁଧ୍ୟାନ ଓ ଆଲୋଚନା ପରେ ପ୍ରସ୍ତାବ ଚୁଡାନ୍ତ କରାଯିବ ବୋଲି ସେ ସୂଚନା ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମସ୍ତଙ୍କୁ ସ୍ବାଗତ କରିବା ସହ ଜିଲ୍ଲାର ସ୍ଥିତି, ବିଭିନ୍ନ ଯୋଜନା ର ରୂପରେଖ, ସଫଳତା,ଆବଶ୍ୟକତା ଓ ନୂତନ ସମ୍ଭାବନା ଉପସ୍ଥାପନ କରିଥିଲେ।୩୪୭୯ ବର୍ଗ କିଲୋମିଟର ପରିମିତ ପୁରୀ ଜିଲ୍ଲାର ଲୋକ ସଂଖ୍ୟା ୧୬୯୮୭୩୯ । ଜିଲ୍ଲାରେ ଗୋଟିଏ ସବଡିଭିଜନ,୧୧ ଟି ଲେଖାଏଁ ବ୍ଲକ ଓ ତହସିଲ,୧୨୨ ଗୋଟି ରାଜସ୍ୱ ସର୍କଲ,ଗୋଟିଏ ମୁନିସିପାଲ୍ଟି,୩ ଟି ଏନଏସି,୨୬୮ ଗ୍ରାମ ପଞ୍ଚାୟତ,୧୭୭୨ ରାଜସ୍ୱ ଗ୍ରାମ ଓ ୩୦ ଟି ପୋଲିସ ଷ୍ଟେସନ ରହିଛି।ଜିଲ୍ଲାରେ ୧୮୮୧୮୩ ହେକ୍ଟର ଚାଷ ଜମି ରହିଥିବା ବେଳେ ୧୦୪୭୪୧ ଜଳସେଚିତ ଓ ୧୪୨୨୫ ହେକ୍ଟର ଜଙ୍ଗଲ ଜମି ରହିଛି। ଜିଲ୍ଲାରେ ମୁଖ୍ୟତଃ ଧାନ, ବିରି,ମୁଗ,ଆଖୁ ଚିନାବାଦାମ ଇତ୍ୟାଦି ଚାଷ ହୋଇଥାଏ ବୋଲି ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ ପାୱାର ପ୍ରେଜେଣ୍ଟସନରେ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡିଏଫଓ ବିବେକ କୁମାର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡଃ ଶରତ ଚନ୍ଦ୍ର ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଆୟୋଗର ଲିଆସନିଙ୍ଗ ଅଧିକାରୀ ଭବତାରଣ ସାହୁ,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଆୟୋଗର ସଦସ୍ୟ ପରାମର୍ଶଦାତା କୌସ୍ତଭ ଶ୍ରୀବାସ୍ତବ,ଅଞ୍ଚଳ ସାକ୍ସସେନା,ମିସ ସ୍ବାତୀ ପ୍ରଧାନ,ଅକ୍ଷତ ଠାକୁରେ,ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶେଷରେ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments