logo
add image
ହରେକୃଷ୍ଣ ମହତାବଙ୍କ ଜନ୍ମ ଶତବାର୍ଷିକୀ ପାଳିତ

ହରେକୃଷ୍ଣ ମହତାବଙ୍କ ଜନ୍ମ ଶତବାର୍ଷିକୀ ପାଳିତ

ପୁରୀ/୬/୩/୨୦୨୫/ (ଆଧାର ମିଡ଼ିଆ)-ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବ ନବ ଉତ୍କଳର ନିର୍ମାତା ଥିଲେ।ତାଙ୍କ ସଂଗ୍ରାମମୟ ବୈପ୍ଲବିକ ଭୂମିକା ଇତିହାସ ରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା।ଆଜି ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି, କାକଟପୁରଙ୍କ ମିଳିତ ଆନୁକୂଲ୍ୟରେ ପୁରୀ ଜିଲ୍ଲା ସ୍ତରୀୟ ଡଃ ହରେକୃଷ୍ଣ ମହତାବ ଙ୍କ ଜନ୍ମ ଶତବାର୍ଷିକୀ (୧୨୫ ବର୍ଷ ପୂର୍ତ୍ତି) ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଡଃ ମହତାବଙ୍କ ଜୀବନୀ ସମ୍ପର୍କରେ ବିଷଦ ବର୍ଣ୍ଣନା କରି ସେ ଆର୍ଥିକ ଭାବେ ସୁଦୃଢ ଥିଲେ ମଧ୍ୟ ଦେଶସେବା ଓ ସମାଜସେବା ପାଇଁ ଆଗେଇ ଆସିଥିଲେ।ସ୍ବାଧୀନତା ସଂଗ୍ରାମ,ଗଡଜାତ ଅଞ୍ଚଳର ମିଶ୍ରଣ ସହ ଓଡ଼ିଶାର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଅନସ୍ବୀକାର୍ଯ୍ୟ।ତାଙ୍କ ଆଦର୍ଶ, ତ୍ୟାଗ ଓ ସେବା ଯୁଗ ପରେ ଯୁଗ ସମାଜକୁ ପ୍ରେରଣା ଦେଇ ଆସୁଥିବ ବୋଲି କହିଥିଲେ।
ଅନ୍ୟତମ ଅତିଥି ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଡଃ ମହତାବଙ୍କ ଜୀବନୀ,ଚରିତ୍ର ଓ ଆଦର୍ଶ ସମାଜକୁ ପ୍ରଭାବିତ କରିଛି।ଏକ ସମୃଦ୍ଧ ଓ ସଶକ୍ତ ଓଡିଶା ଗଠନରେ ତାଙ୍କ ଭୂମିକା ସଦା ଔଜୁଲ୍ୟମାନ।ଆମେ ତାଙ୍କ ଆଦର୍ଶରୁ କିଛି ଯଦି ନିଜ ଜୀବନରେ ଉପଯୋଗ କରି ପାରିବା ତେବେ ସମାଜ ଶୃଙ୍ଖଳିତ ଓ ସମୃଦ୍ଧ ହୋଇପାରିବ ବୋଲି କହିଥିଲେ।ଶିକ୍ଷାବିତ ପ୍ରଫେସର କୈଳାସ ଚନ୍ଦ୍ର ଟୀକାୟତରାୟ ମୁଖ୍ୟ ବକ୍ତା ଭାବେ ଆଦର୍ଶବାନ ଓ ଉଚ୍ଚ ମୂଲ୍ୟବୋଧ ବ୍ୟକ୍ତିତ୍ୱ ମାନେ ସଦା ଅମର ଓ ସମାଜକୁ ପ୍ରେରଣା ଦେଇଥାନ୍ତା।ପୂଜ୍ଯପୂଜାର ଏହି ପରମ୍ପରା ଆମ ଉତ୍ତର ପିଢୀକୁ  ସଦା ଉଦବୁଦ୍ଧ କରୁଥିବ ବୋଲି କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ ସ୍ବପ୍ନେଶ୍ବର ସାହୁ, ପଣ୍ଡିତ କାଳନ୍ଦୀ ଚରଣ ଛାଟୋଇ,ଉତ୍କଳ ସଂଗ୍ରାମୀ ସମିତିର ସାଂସ୍କୃତିକ ସମ୍ପାଦକ ରବିନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଡଃ ମହତାବ ଙ୍କ ସ୍ମୃତି ଚାରଣ କରିବା ସହ ସ୍ବାଧୀନ ଭାରତର ଏକତା ଓ ସଂହତି ପ୍ରତିଷ୍ଠା ଦିଗରେ ଡଃ ମହତାବଙ୍କ ପ୍ରଚେଷ୍ଟା ଅନନ୍ୟ।ତାଙ୍କ ସଂଗ୍ରାମୀ ମନୋଭାବ ଯୁବ ସମାଜକୁ ଚିରଦିନ ଅନୁପ୍ରାଣିତ କରୁଥିବ ବୋଲି କହିଥିଲେ।ଏଥିରେ ଉତ୍କଳ ସଂଗ୍ରାମୀ ସମିତିର ସଭାପତି ଅମୀୟ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ସୂଚନା ଦେଇଥିଲେ।
 ଅସ୍ତରଙ୍ଗରେ ଲବଣ ସତ୍ୟାଗ୍ରହ ମାଧ୍ୟମରେ ଯେଉଁ ଦେଶସେବା କରାଯାଇଥିଲା ତାହାକୁ ଡଃ ହରେକୃଷ୍ଣ ମହତାବ ସମର୍ଥନ ସହ ସଂଗ୍ରାମୀଙ୍କ ମନୋବଳ ବଢାଇଥିଲେ ବୋଲି ସେ ସୂଚନା ଦେଇଥିଲେ।ପ୍ରାରମ୍ଭରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ହରେକୃଷ୍ଣ ମହତାବଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଲବଣ ସତ୍ୟାଗ୍ରହୀ ସ୍ବର୍ଗତ ବଳରାମ ବସ୍ତିଆ,ସାଧୁ ଚରଣ ଛାଟୋଇ,ଦାସ ମହାନ୍ତି, ଭୋବନୀ ନାୟକ, ନୀଳମଣି ବେହେରା ଓ ଦୁର୍ଗା ଚରଣ ମହାପାତ୍ର ଙ୍କୁ ମରଣୋତ୍ତର ଭାବେ ସେମାନଙ୍କ ଦାୟାଦ ଙ୍କ ମାଧ୍ୟମରେ ସମ୍ବର୍ଦ୍ଧିତ କରାଯାଇଥିଲା।ସେହିପରି ବିଦ୍ୟାଳୟ ସ୍ତରର କୁଇଜ ପ୍ରତିଯୋଗିତା ର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

 

Recent Comments

Leave Comments

Top