ପୁରୀ/୨୦/୩/୨୦୨୫/(ଆଧାର ମିଡ଼ିଆ)-ଗର୍ଭସ୍ଥ ଭୃଣର ଲିଙ୍ଗ ନିରୂପଣ ସମ୍ପୂର୍ଣ୍ଣ ବେଆଇନ ଓ ଏଥିପାଇଁ ଆଇନ ଅନୁଯାୟୀ ଦଣ୍ଡ ର ବ୍ୟବସ୍ଥା ରହିଛି।ତେଣୁ ବ୍ୟାପକ ସଚେତନତା ସୃଷ୍ଟିକରି ଏହି ଘୃଣ୍ୟ କାର୍ଯ୍ୟକୁ ପ୍ରତିହତ କରିବା ଲକ୍ଷ୍ୟରେ ଏକ କର୍ମଶାଳା ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଯୋଗଦେଇ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଭାରତୀୟ ସଂସ୍କୃତି, ପୁରାଣ ଓ ଇତିହାସରେ ନାରୀକୁ ଉଚ୍ଚସ୍ଥାନ ଓ ସମ୍ମାନରେ ରଖାଯାଏ।ତେବେ ସାମ୍ପ୍ରତିକ ସମାଜରେ ନାରୀର ସୁରକ୍ଷା ଓ ସମ୍ମାନରେ ଅବକ୍ଷୟ ଅତ୍ୟନ୍ତ ଦୁଖଦ କଥା।ନାରୀ ପୁରୁଷ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ଵ ପରି।ସମସ୍ତେ ମିଶି କନ୍ୟା ସନ୍ତାନଙ୍କ ସୁରକ୍ଷାଙ୍କୁ ସୁନିଶ୍ଚିତ କରିବାକୁ ସେ ଅନୁରୋଧ କରିଥିଲେ।
ପରିବାର କଲ୍ୟାଣ ଏଡିଏମଓ ଡା ଚନ୍ଦ୍ରକାନ୍ତି ଆଚାର୍ଯ୍ୟ ଭୃଣର ସୁସ୍ଥତା, ଅବସ୍ଥା ଜାଣିବା ପାଇଁ ପରୀକ୍ଷା ନିରୀକ୍ଷା କରାଯାଇଥାଏ ଓ ତାହାରି ଆଧାରରେ ଚିକିତ୍ସା ସୁବିଧା ହୋଇଥାଏ।କିନ୍ତୁ ଲିଙ୍ଗ ନିରୂପଣ ସମ୍ପୂର୍ଣ୍ଣ ବେଆଇନ ଓ ଅନ୍ୟାୟ ମଧ୍ୟ।ଏହାକୁ ପ୍ରତିହତ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନଫୋର୍ସମେଣ୍ଟ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି ବୋଲି କହିଥିଲେ।ଶିଶୁ ସୁରକ୍ଷା ୟୁନିଟର ଆଇନ ପରାମର୍ଶଦାତା ସନ୍ତୋଷ କୁମାର ସାହୁ ଭୃଣର ଲିଙ୍ଗନିରୂପଣ ସଂକ୍ରାନ୍ତୀୟ ଆଇନ ୧୯୯୪ର ବିସ୍ତୃତ ବ୍ୟାଖ୍ୟା କରିବା ସହ ଦଣ୍ଡ ବ୍ୟବସ୍ଥା,କର୍ତ୍ତବ୍ୟରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।
ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଏଥିରେ ଅଧ୍ୟକ୍ଷତା କରି ଭୃଣ ଓ କନ୍ୟା ସନ୍ତାନର ସୁରକ୍ଷା ପାଇଁ ଆମେ ସମବଦ୍ଧ ଉଦ୍ୟମ କରିବା ଓ ସମସ୍ତଙ୍କୁ ସଚେତନ କରାଇବା ଏହି କର୍ମଶାଳାର ଉଦ୍ଦେଶ୍ୟ ବୋଲି କହିଥିଲେ।ବିଶେଷ କରି ବର୍ତ୍ତମାନର ଯୁବ ପିଢୀଙ୍କୁ ଅଧିକ ସଚେତନ କରିବାକୁ ସେ ଆହ୍ବାନ ଦେଇଥିଲେ।କାର୍ଯ୍ୟକ୍ରମରେ ଏଡିପିଏଚସିଓ ବେଣୁଧର ନାୟକ, ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ରମ, ଚନ୍ଦ୍ର ପ୍ରଭା ଦେଇ, ବାଲ୍ୟବତୀ ମହାନ୍ତି, ବିଭିନ୍ନ ବ୍ଲକର ସିଡିପିଓ, ସୁପରଭାଇଜର ପ୍ରମୁଖ ଯୋଗ ଦେଇଥିଲେ।
Recent Comments