logo
add image
ଶ୍ରମକାଡ ବାତିଲ୍ ଏବଂ ଠିକା ଶ୍ରମିକଙ୍କ ସମସ୍ଯା ସମାଧାନ ଦାବିରେ ବିଶାଳ ଶ୍ରମିକ ସମାବେଶ

ଶ୍ରମକାଡ ବାତିଲ୍ ଏବଂ ଠିକା ଶ୍ରମିକଙ୍କ ସମସ୍ଯା ସମାଧାନ ଦାବିରେ ବିଶାଳ ଶ୍ରମିକ ସମାବେଶ

କଣିହାଁ/୨୬/୦୩/୨୦୨୫/(ଆଧାର ମିଡ଼ିଆ)-ଅଲ୍ ଇଣ୍ଡିଆ ୟୁନାଇଟେଡ ଟ୍ରେଡ ୟୁନିୟନ ସେଣ୍ଟର (ଏଆଇୟୁଟିୟୁସି) ସହବନ୍ଧିତ ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ (ଏନଟିପିସି) ଆହ୍ବାନରେ ବୁଧବାର ଅପରାହ୍ନରେ ବିଜିଗୋଳସ୍ଥ ରାମମନ୍ଦିର ପଡିଆ ଠାରେ ଏକ ବିଶାଳ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ଶ୍ରମିକ କର୍ମଚାରୀ ବିରୋଧୀ ୪ଟି ଶ୍ରମ କୋଡ୍ କୁ ବାତିଲ କରିବା, ଦୈନିକ କାମ କରିବାର ସମୟ ନିର୍ଘଣ୍ଟ ୮ ଘଣ୍ଟାକୁ ବୃଦ୍ଧିକରି ୧୨ ଘଣ୍ଟା କରିବାର ପ୍ରସ୍ତାବକୁ ବନ୍ଦକରିବା, ଏନଟିପିସି ମେଡିକାଲରେ ବାର୍ଷିକ ସ୍ବାସ୍ଥ୍ଯ ପରିକ୍ଷାରେ ସ୍ବାସ୍ଥ୍ଯ ସମସ୍ଯା ଥିବା ଠିକା ଶ୍ରମିକଙ୍କୁ ଏନଟିପିସି ମେଡିକାଲରେ ମାଗଣାରେ ଚିକିତ୍ସା କରିବା କିମ୍ବା ଇଏସ୍ଆଇସିକୁ ରେଫର କରିବାର ସୁବ୍ଯବସ୍ଥା କରିବା , ଠିକା ଶ୍ରମିକଙ୍କ ନାମରେ ବିଚାରଧୀନ କେସ୍ ଥିବା କାରଣରୁ ସମ୍ପୃକ୍ତ ଠିକା ଶ୍ରମିକଙ୍କୁ ଏନଟିପିସିର କାମ କରିବାର ଅଧିକାରରୁ ବଞ୍ଚିତ କରିବା ବନ୍ଦ କରିବା,ପ୍ରତ୍ୟେକ ଠିକା ଶ୍ରମିକଙ୍କୁ ପ୍ରତି ମାସର ୨ ତାରିଖ ସୁଦ୍ଧା ମାସିକ ମଜୁରୀ ଓ ଓ୍ବେଜ୍ ସ୍ଲିପ୍ ପ୍ରଦାନ କରିବା, ଶ୍ରମ ଆଇନ ଅନୁସାରେ  ୨୦ ଦିନ କାମପାଇଁ ଗୋଟିଏ ଦିନର ମଜୁରୀ ହିସାବରେ ଆର୍ଣ୍ଣଡ୍ ଲିଭ୍ (ଇ.ଏଲ୍) ବାବଦରେ ଓ ବାର୍ଷିକ ୨୪୦ ଦିନ ବା ୨୪୦ ଦିନରୁ ଅଧିକ କାମ ପାଇଁ ରିଟ୍ରେଞ୍ଚମେଣ୍ଟ ବେନିଫିଟ (ଆର୍.ବି) ବାବଦରେ ୧୫ ଦିନର ମଜୁରୀ ପ୍ରଦାନ କରିବା, ଜାତୀୟ ଛୁଟି ଓ ପର୍ବ ପର୍ବାଣୀ ଛୁଟି ଦୈନିକ ମଜୁରୀ ହିସାବରେ ପ୍ରଦାନ କରିବା, କଣ୍ଟିଜେଣ୍ଟ ଶ୍ରମିକ (ମେଣ୍ଟେନାନ୍ସ-୧) ନାମରେ ନିଯୁକ୍ତ ଠିକା ଶ୍ରମିକଙ୍କୁ ଇ.ଏଲ୍, ଆର୍.ବି  ଓ ଛୁଟିଦିନର ମଜୁରୀ ପ୍ରଦାନ କରିବା, କାର୍ଯ୍ଯସ୍ଥଳରେ ଦୁର୍ଘଟଣାରେ ମୃତ ଠିକା ଶ୍ରମିକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓ ନିଯୁକ୍ତି ଦେବା, ୬୦ବର୍ଷ ବୟସରେ ଅବସର ନେଉଥିବା ଠିକା ଶ୍ରମିକଙ୍କ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଦେବା କିମ୍ବା ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା, ଏନଟିପିସିର ଲାଭରୁ ଲାଭାଂଶ ଠିକା ଶ୍ରମିକଙ୍କୁ ମଧ୍ଯ ପ୍ରଦାନ କରିବା, ଠିକା ଶ୍ରମିକଙ୍କ ଯାତାୟତ ସମୟରେ ଭାରୀଯାନ ଚଳାଚଳ ବନ୍ଦ କରିବା, ଓ୍ବାଟର ସପ୍ଲାଇ ଓ ମାନସରୋବର ଗେଷ୍ଟ ହାଉସ ଶ୍ରମିକଙ୍କ ସମସ୍ଯା ସମାଧାନ କରିବା, ଇପିଏଫ୍, ଇଏସ୍ଆଇସି ଓ ବୋନସ କ୍ଷେତ୍ରରେ ସର୍ବୋଚ୍ଚ ମଜୁରୀ ସୀମା ଉଛେଦ କରିବା ଦାବିରେ ଏହି ବିଶାଳ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି।
ଦୁଇ ହଜାରରୁ ଅଧିକ ଠିକା ଶ୍ରମିକ ଏହି ସମାବେଶରେ ଯୋଗ ଦେଇଥିଲେ। ୟୁନିୟନର ସଭାପତି ତଥା ଏଆଇୟୁଟିୟୁସି ଓଡିଶା ରାଜ୍ଯ ସମ୍ପାଦକ ଜୟସେନ ମେହେରଙ୍କ ସଭପତିତ୍ବରେ ଅନୁଷ୍ଠିତ ଏହି ସମାବେଶରେ ଏଆଇୟୁଟିୟୁସି ଅନୁଗୋଳ ଜିଲ୍ଲା ସମ୍ପାଦକ ବ୍ରଜବନ୍ଧୁ ସାହୁ,ୟୁନିୟନର ସାଧାରଣ ସମ୍ପାଦକ ପ୍ରହ୍ଲାଦଚନ୍ଦ୍ର ସାହୁ ,ଯୁଗ୍ମ ସଂପାଦକ ଟୁନା ନାଏକ,କାର୍ଯ୍ଯକାରୀ ସଭ୍ଯ ଗନ୍ଧର୍ବ ନାଏକ,ପ୍ରତାପ ପ୍ରଧାନ,ନିଳାମ୍ବର ତିରିଆ,ସିଙ୍ଗେଶ୍ବର ସାହୁ,ଦୁଃଶାସନ ବେହେରା ,ବସନ୍ତ ପ୍ରଧାନ, ସୁଶାନ୍ତ ଓରାମ ,ନରେଶ ପ୍ରଧାନ,ସୁରେଶ ବେହେରା ପ୍ରମୁଖ ଭାଷଣ ମାଧ୍ୟମରେ କେନ୍ଦ୍ର ବିଜେପି ସରକାରଙ୍କ ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡକୁ ବାତିଲ କରିବା ଏବଂ ଏନଟିପିସି କଣିହାଁରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ଉପରୋକ୍ତ ଦାବିଗୁଡିକୁ ପୂରଣ କରିବା ପାଇଁ ଦୃଢ ଦାବି କରିଛନ୍ତି। ଏନଟିପିସି କଣିହାଁରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ଉପରୋକ୍ତ ଦାବିଗୁଡିକୁ ନେଇ ଏନଟିପିସି କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ଦାବି ହାସଲ ହେବା ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଆନ୍ଦୋଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରମିକ ବିରୋଧୀ ଶ୍ରମ କୋଡ୍ ବିରୁଦ୍ଧରେ  ୧ ଏପ୍ରିଲ ୨୦୨୫ରେ ଦେଶ ବ୍ଯାପୀ ପ୍ରତିବାଦରେ ଏବଂ ୨୦ ମେ ୨୦୨୫ରେ ଦେଶ ବ୍ଯାପୀ ସାଧାରଣ ଧର୍ମଘଟରେ ଏନଟିପିସି କଣିହାଁର ଠିକାଶ୍ରମିକମାନେ ସାମିଲ ହେବା ପାଇଁ ପ୍ରସ୍ତାବ ଗୃହୀତ କରାଯାଇଛି।

Recent Comments

Leave Comments

Top