logo
add image
ପୁରୀ ଜିଲ୍ଲାରେ ଆୟୁଷ୍ମାନ କାର୍ଡ ବଣ୍ଟନର ଶୁଭାରମ୍ଭ

ପୁରୀ ଜିଲ୍ଲାରେ ଆୟୁଷ୍ମାନ କାର୍ଡ ବଣ୍ଟନର ଶୁଭାରମ୍ଭ

ପୁରୀ/୧୧/୪/୨୦୨୫/(ଆଧାର ମିଡ଼ିଆ)-ଆଜିଠାରୁ ସମଗ୍ର ଓଡ଼ିଶାରେ ଆରମ୍ଭ ହୋଇଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା।ଏଥିସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ମଧ୍ୟ ଶୁଭାରମ୍ଭ ହୋଇଛି।ପୁରୀଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର,ଓଡ଼ିଆ ଭାଷା ସାହାତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହାର ଶୁଭାରମ୍ଭ କରିବା ସହ ହିତାଧିକାରୀଙ୍କୁ କାର୍ଡବଣ୍ଟନ କରିଥିଲେ।ଆଜି ଅପରାହ୍ନରେ ଟାଉନହଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୂରଜ ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡିଶାପାଇଁ ଆଜି ଏକ ଐତିହାସିକ ଦିନ ବୋଲି କହିଥିଲେ।
ଓଡ଼ିଶାର ୧.୦୩ କୋଟି ପରିବାରର ୩.୫ କୋଟି ହିତାଧିକାରୀ ଏଥିରେ ଉପକୃତ ହେଉଥିବା ବେଳେ ପୁରୀ ଜିଲ୍ଲାର ୧୩୮୫୪୧୫ ହିତାଧିକାରୀ ଏହା ଦ୍ଵାରା ଉପକୃତ ହେବେ।ଦେଶର ବିଭିନ୍ନ ସ୍ଥାନରେ ଥିବା ୨୯ ହଜାର ହସପିଟାଲରେ ଏହିକାର୍ଡ ମାଧ୍ୟମରେ ଚିକିତ୍ସା ସୁବିଧା ପାଇପାରିବେ।ପୁରୁଷ ହିତାଧିକାରୀଙ୍କ ପାଇଁ ୫ ଲକ୍ଷ, ମହିଳା ହିତାଧିକାରୀ ଅତିରିକ୍ତ ୫ ଲକ୍ଷ ଅର୍ଥାତ ୧୦ଲକ୍ଷର ଚିକିତ୍ସା ସୁବିଧା ପାଇପାରିବେ।ସେହିପରି ୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ବ୍ୟକ୍ତିଙ୍କୁ ଆର୍ଥିକ ବାଛ ବିଚାର ବିନା ୫ ଲକ୍ଷ ଟଙ୍କା ର ଚିକିତ୍ସା ସୁବିଧା ମିଳିବ।ଆଜି ପ୍ରତୀକାତ୍ମକ ଭାବେ ୫ ଜଣ ହିତାଧିକାରୀଙ୍କୁ ଏଠାରେ କାର୍ଡ ବଣ୍ଟନ ହୋଇ ଥିବାବେଳେ ଆସନ୍ତା କାଲିଠାରୁ ହିତାଧିକାରୀଙ୍କ ଘରେ କାର୍ଡ ପ୍ରଦାନର ବ୍ୟବସ୍ଥା ହୋଇଛି।
ପୂର୍ବରୁ ପରିବାର ପିଛା ଗୋଟିଏ କାର୍ଡ ଥିବାବେଳେ ଏବେ ସମସ୍ତ ହିତାଧିକାରୀଙ୍କୁ ଏହିକାର୍ଡ ଦିଆଯିବ।ଯାହା ଫଳରେ ଦେଶର ଯେ କୌଣସି ସ୍ଥାନରେ ଏହି କାର୍ଡ ମାଧ୍ୟମରେ ଜଣେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।ଅନ୍ୟତମ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡା ସମ୍ବିତପାତ୍ର ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ଏକ ମହତ୍ତ୍ୱଙ୍କାକ୍ଷୀ ଯୋଜନା।ଦେଶର ପ୍ରତ୍ୟେକ ଲୋକଙ୍କୁ ନୀରୋଗ ଓ ସୁସ୍ଥ ରଖିବା ସଂକଳ୍ପ ନେଇ ଏହି ଯୋଜନା ଆରମ୍ଭ ହୋଇଛି।ଏହାର ସୁଫଳ ସମସ୍ତ ହିତାଧିକାରୀ ପାଇବେ ବୋଲି ସେ କହିଥିଲେ।
ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ଦୈନନ୍ଦିନ ଜୀବନରେ ନିଜକୁ ସୁସ୍ଥ ରଖିବା ପାଇଁ ଉଦ୍ୟମ କରିବା ସହ ଅସୁସ୍ଥ କ୍ଷେତ୍ରରେ ଏହି କାର୍ଡର ସହାୟତା ନେବା ଉପରେ ସେ ମତ ଦେଇଥିଲେ।ହିତାଧିକାରୀ ମାନଙ୍କୁ କାର୍ଡ ବଣ୍ଟନ ସହ ଉପଯୋଗିତା ସମ୍ପର୍କରେ ସଚେତନ କରାଇବାକୁ ସେ ପରାମର୍ଶ ଦେଇଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା ରୂପଭାନୁ ମିଶ୍ର ସ୍ବାଗତ ଭାଷଣ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।ହିତାଧିକାରୀ ବାସନ୍ତୀ ବିଶୋଇ,ଗୋଲକ ମୁଦୁଲି,ମଧୁସୂଦନ ପଲେଇ, ମଞ୍ଜୁ ନାୟକ ଓ ସରୋଜିନୀ ବେୱ୍ବାଙ୍କୁ ଅତିଥି ମାନେ କାର୍ଡବଣ୍ଟନ କରିଥିଲେ।
ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶେଷରେ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଅତିଥି ମାନେ ଏହି କାର୍ଡ ବଣ୍ଟନ ସଚେତନତା ଉଦ୍ଦେଶ୍ୟରେ ଏକ ରଥର ଶୁଭାରମ୍ଭ କରିଥିଲେ।ଜିଲ୍ଲାର ୫୧ ଟି ଯାକ ସ୍ଥାନରୁ ମଧ୍ୟ ଏହି ରଥର ଶୁଭାରମ୍ଭ ହୋଇଥିଲା।ଏହା ୭ ଦିନ ଧରି ଜିଲ୍ଲାରେ ସଚେତନତା ସୃଷ୍ଟି କରିବ। କାର୍ଯ୍ୟକ୍ରମରେ ଡିପିଏମ ଟି. ନାରାୟଣ ରାଓ ଏବଂ ସ୍ବାସ୍ଥ୍ୟ ବିଭାଗର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।ଜିଲ୍ଲାର ୫୧ଗୋଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ ସହ ୫ଜଣ ଲେଖାଏଁ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଛି।କାର୍ଡ ନ ପାଇଥିଲେ ମଧ୍ୟ ହିତାଧିକାରୀ ନିଜର ଆଧାର କାର୍ଡ ଦର୍ଶାଇ ଚିକିତ୍ସା ସୁବିଧା ଆଜିଠାରୁ ପାଇପାରିବେ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଥିଲେ।

Recent Comments

Leave Comments

Top