logo
add image
ପୁରୀ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷାକଲେ ରାଜ୍ୟପାଳ

ପୁରୀ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷାକଲେ ରାଜ୍ୟପାଳ

ପୁରୀ/୧୯/୪/୨୦୧୫/(ଆଧାର ମିଡ଼ିଆ)-ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି ଆଜି ପୂର୍ବାହ୍ନରେ ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ପୁରୀ ଜିଲ୍ଲାର ସ୍ଥିତି ଓ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କରିଛନ୍ତି।ସରକାର ଓ ପ୍ରଶାସନ ସାଧାରଣ ଲୋକ ମାନଙ୍କ ମୌଳିକ ଆବଶ୍ୟକତା ପୂରଣ ସହ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ଯୋଗ୍ୟତା ଅନୁସାରେ ସେମାନଙ୍କୁ ସାମିଲ କରିବା ଉଚିତ ବୋଲି ରାଜ୍ୟପାଳ କହିଥିଲେ।ଲୋକ ପ୍ରତିନିଧିମାନଙ୍କୁ ଏ ସମସ୍ତ କାର୍ଯ୍ୟରେ ସାମିଲ କରାଯିବା ସହ ଏହି ସବୁ କାର୍ଯ୍ୟର ସମୀକ୍ଷା ଲୋକ ପ୍ରତିନିଧିମାନେ କରିବା ଆବଶ୍ୟକ।ପ୍ରଶାସନ ଉପଯୁକ୍ତ ହିତାଧିକାରୀ ଚୟନ ସମୟରେ ସରକାର ପ୍ରଦତ୍ତ ମାର୍ଗଦର୍ଶିକା ଆଧାରରେ ତାଲିକା ପ୍ରସ୍ତୁତକରିବା ଉଚିତ।ଯାହା ଫଳରେ ଉପକୃତ ହେଉଥିବା ହିତାଧିକାରୀ ଓ ଅପେକ୍ଷା ତାଲିକାରେ ରହୁଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ସହଜହେବ।ଲୋକ ମାନଙ୍କୁ ଶୁଣିବା ଓ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।ଯେ କୌଣସି ପ୍ରକଳ୍ପର ପ୍ରକୃତ ଲକ୍ଷ୍ୟ ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରାଇବା ସହ ସଫଳତା ହାସଲ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଭୁବନେଶ୍ୱର ରାଜଭବନକୁ ସମ୍ପୂର୍ଣ୍ଣ ସୋଲାର ବା ପିଏମ ସୂର୍ଯ୍ୟଘର ଯୋଜନାରେ ସାମିଲ କରାଯାଇଛି।ତେଣୁ ପିଏମ ସୂର୍ଯ୍ୟ ଘର ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଏହାର ଉପଯୋଗ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର,ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ଯୋଗଦେଇ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।ପ୍ରାରମ୍ଭରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମସ୍ତଙ୍କୁ ସ୍ବାଗତ କରିବା ସହ ଜିଲ୍ଲା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡ.ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଯୋଜନା ଓ ପର୍ଯ୍ୟାଲୋଚନା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଧର ସେଠୀ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ,ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।ଆଇନ ଶୃଙ୍ଖଳା ରକ୍ଷା,ଜଙ୍ଗଲ ବିଭାଗ ,ଚିଲିକା ଉନ୍ନୟନ, ମତ୍ସ୍ୟ ସମ୍ପଦ,ପ୍ରାଣୀ ସମ୍ପଦ, ବିଦ୍ୟୁତ, ପର୍ଯ୍ୟଟନ, କୃଷି, ଉଦ୍ୟାନ କୃଷି, ମୂର୍ତ୍ତିକା ସଂରକ୍ଷଣ, ଗ୍ରାମ୍ୟ ଜଳ ଯୋଗାଣ ,ଜଳ ସମ୍ପଦ ଇତ୍ୟାଦି ବିଭାଗ ସମ୍ପର୍କରେ ରାଜ୍ୟପାଳ ସମୀକ୍ଷା କରିବା ସହ ବିବିଧ ପରାମର୍ଶ ଦେଇଥିଲେ।ଲୋକଙ୍କ ହିତପାଇଁ କାର୍ଯ୍ୟ କରିବାର ଅଛି।ତେଣୁ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ କରିବାର ମାନସିକତା ରଖିବା।ରାଜ୍ୟରେ ସମସ୍ତ ସୁବିଧା ସୁଯୋଗ ରହିଛି. ତେଣୁ ସମସ୍ତଙ୍କ ସହଯୋଗରେ ଏହାକୁ ବିକଶିତ ଓଡିଶାରେ ପରିଣତ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

Recent Comments

Leave Comments

Top