logo
add image
ଜିଲ୍ଲାସ୍ତରୀୟ ପାରଳା ମହାରାଜାଙ୍କ ଜୟନ୍ତୀ ଅନୁଷ୍ଠିତ।

ଜିଲ୍ଲାସ୍ତରୀୟ ପାରଳା ମହାରାଜାଙ୍କ ଜୟନ୍ତୀ ଅନୁଷ୍ଠିତ।

ପୁରୀ/୨୬/୪/୨୦୨୫/(ଆଧାର ମିଡ଼ିଆ)-ତ୍ୟାଗ, ସେବା ଓ ପରୋପକାର ଦିବ୍ୟଗୁଣ।ଏହା ଅର୍ଥ ଦ୍ଵାରା ନୁହେଁ ନିଜ ଅକ୍ଲାନ୍ତ ପ୍ରଚେଷ୍ଟା ଓ ନିସ୍ବାର୍ଥପର ପ୍ରତିବଦ୍ଧତା ଦ୍ଵାରା ହାସଲ କରାଯାଇପାରେ ବୋଲି ପ୍ରମାଣ କରିଛନ୍ତି ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ବୋଲି କହିଛନ୍ତି ଉପ ଜିଲ୍ଲାପାଳ ରାଜ କିଶୋର ଜେନା।ଆଜି ପୂର୍ବାହ୍ନରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ମିଳନୀ ଗୃହରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ ହୋଇଥିଲା।ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପ ଜିଲ୍ଲାପାଳ ଶ୍ରୀ ଜେନା ଜଣେ ମହାରାଜା ଭାବେ ସମସ୍ତ ସୁବିଧା ଓ ସ୍ବଛନ୍ଦ ଜୀବନ ଅତିବାହିତର ସୁଯୋଗ ଥିବା ସତ୍ତ୍ୱେ ପାରଳା ମହାରାଜା ସ୍ବତନ୍ତ୍ର ଓଡ଼ିଶା ଗଠନ, ଭାଷାର ସୁରକ୍ଷା, ସ୍ବାସ୍ଥ୍ୟ ସେବା,ଶିକ୍ଷା,ସାମାଜିକ ସେବା ଇତ୍ୟାଦି ପ୍ରତି ଉତ୍ତରଦାୟୀ ଭାବେ କାର୍ଯ୍ୟ କରିଥିଲେ।
ସେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ଅନେକ ତ୍ୟାଗ ଓ ସଂସ୍କାର କରିଛନ୍ତି।ଆଜିର ଦିବସରେ ତାଙ୍କ ସ୍ମୃତି ପ୍ରତି ସମ୍ମାନ ଜଣାଇବା ସହ ତାଙ୍କ ଜୀବନୀରୁ ସେବାପାଇଁ ଯଦି କିଛି ଶିଖି ଆମ ଜୀବନରେ ଲଗାଇ ପାରିବା ତାହା ତାଙ୍କପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବବୋଲି ସେ କହିଥିଲେ।ମୁଖ୍ୟ ବକ୍ତାଭାବେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର କୈଳାସ ଚନ୍ଦ୍ର ଟୀକାୟତରାୟ ପାରଳା ମହାରାଜାଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ପାରଳା ମହାରାଜାଙ୍କ ବିନା ଏକ ସ୍ବତନ୍ତ୍ର ଓଡିଶା ଗଠନ ହୁଏତ ସମ୍ଭବ ହୋଇ ପାରି ନଥାନ୍ତା ବୋଲି କହିଥିଲେ।ପୂର୍ବ ସୁରୀମାନଙ୍କୁ ଶ୍ରଦ୍ଧାଞ୍ଜଳି କେବଳ ଉପଯୁକ୍ତ ସମ୍ମାନ ନୁହେଁ ଏହା ଆମ ଭବିଷ୍ୟତ ପିଢିପାଇଁ ମାର୍ଗଦର୍ଶକ ଓ ପ୍ରେରଣା ବୋଲି ସେ କହିଥିଲେ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ପରିଡା, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପାରଳା ମହାରାଜାଙ୍କର ଓଡିଶା ଓ ଓଡ଼ିଆ ଭାଷାପାଇଁ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା, ମେଡିକାଲ କଲେଜ ପ୍ରତିଷ୍ଠା,ଧାନ ଗବେଷଣା କେନ୍ଦ୍ର,ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା, କୃଷି ଭିତ୍ତିଭୂମିର ଉନ୍ନତି, ବୃହତ ପୋଖରୀ ଖନନ ଇତ୍ୟାଦି ମହାରାଜାଙ୍କର ଲୋକାଭିମୁଖୀ ସେବାବୋଲି ସେମାନେ ଉଲ୍ଲେଖ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମାରୋହରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ, ଅତିଥି ପରିଚୟ ଓ ସଭା ପରିଚାଳନା କରିଥିଲେ।
ପୂର୍ବରୁ ଅନୁଷ୍ଠିତ କୁଇଜ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।ପ୍ରାରମ୍ଭରେ ଅତିଥି ମାନେ ପ୍ରତିଷ୍ଠାନ ପରିସରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ସଭା ସ୍ଥଳରେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ଓ ପାରଳା ମହାରାଜାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ।କାଶ୍ମୀରରେ ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଚକ୍ରଧର ମହାପାତ୍ର, ଅନାମ ଚରଣ ସାହୁ, ସାହିତ୍ୟିକ ତଥା ଅଧିବକ୍ତା ବିପିନ ବିହାରୀ ଦଳାଇ,ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।ଶେଷରେ ସହକାରୀ ସୂଚନା ଅଧିକାରୀ ରାଜେନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ସମାରୋହରେ ସୂଚନା ଓ ଲୋକ ସମ୍ପର୍କ ଉପଖଣ୍ଡ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।

Recent Comments

Leave Comments

Top