logo
add image
ବିଦ୍ୟୁତ ନ ଆସିବାରୁ ରାତିରେ ଇଲେକ୍ଟ୍ରି ଖୁଣ୍ଟତଳେ ଗ୍ରାମବାସୀଙ୍କ ପ୍ରତିବାଦ

ବିଦ୍ୟୁତ ନ ଆସିବାରୁ ରାତିରେ ଇଲେକ୍ଟ୍ରି ଖୁଣ୍ଟତଳେ ଗ୍ରାମବାସୀଙ୍କ ପ୍ରତିବାଦ

ପଦ୍ମପୁର/ବରଗଡ/୧୪/୫/୨୦୨୫/ (ଆଧାର ମିଡିଆ//ଡିଲେଶ୍ୱର ବାଗ): ଅସହ୍ୟ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହା ସାଙ୍ଗକୁ ରୌଦ୍ରତାପ ମଧ୍ୟ କିଛି କମ ନୁହେଁ। ଏଭଳି ସମୟରେ ଅଘୋଷିତ ବିଦ୍ୟୁତ କାଟ କରାଯାଉଛି। ଦୈନିକ ୮ରୁ ୧୦ ଥର ଅଘୋଷିତ ବିଦ୍ୟୁତ କାଟ ହେଉଛି। ଏହାଦ୍ୱାରା କୋମଳମତି ଶିଶୁ, ବରିଷ୍ଠ ନାଗରିକଙ୍କ ଜୀବନ ବ୍ୟତିବ୍ୟସ୍ତ ହୋଇ ପଡ଼ୁଥିବା ବେଳେ ପାନୀୟ ଜଳ ଠିକ୍‌ ମାତ୍ରାରେ ଲୋକେ ପାଇପାରୁ ନାହାନ୍ତି। ବିଦ୍ୟୁତ ପରିଚାଳନା ଦାୟିତ୍ୱ ଟାଟା କମ୍ପାନୀକୁ ଦିଆଯିବା ପରେ ପୂର୍ବ ଅବସ୍ଥାରେ ସୁଧାର ଆସିବ ବୋଲି ଆଶା କରାଯାଉଥିଲା। ହେଲେ କିଛି ଲାଭ ମିଳୁନାହିଁ ବରଂ ଲୋକଙ୍କୁ ଟାଟା କମ୍ପାନୀ ନିର୍ଯାତନା ଦେଉଛି ବୋଲି ଅଭିଯୋଗ ରହିଛି।
କିଛିଦିନ ହେଲା ଘଣ୍ଟାଘଣ୍ଟା ଧରି ବିଜୁଳି କାଟରେ ଉପଭୋକ୍ତା ନୟାନ୍ତ ହେଲେଣି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ସାମାନ୍ୟ ପବନ କି ଝିପିଝିପି ବର୍ଷା ହେଲେ, କେଉଁଠି ବିଦ୍ୟୁତ୍‌ ଖୁଣ୍ଟ କି ବିଦ୍ୟୁତ୍‌ ତାରରେ ସାମାନ୍ୟ ସମସ୍ୟା ସୃଷ୍ଟି ହେଲେ ବିଜୁଳି ଚାଲିଯାଉଛି। ଏହାକୁ ନେଇ ଗ୍ରାହକ ବିଜୁଳି କାର୍ଯ୍ୟାଳୟକୁ ଫୋନ୍‌ କଲେ ମଧ୍ୟ କେହି ଉଠାଉନାହାନ୍ତି। ସାମାନ୍ୟ ସମସ୍ୟା ଥିଲେ ମଧ୍ୟ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ମରାମତି ହୋଇପାରୁନାହିଁ। ଗତକାଲି ସନ୍ଧ୍ୟା ୭ଟା ରୁ ବିଦ୍ୟୁତ ଚାଲିଯାଇଥିଲା ତେବେ ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜୁବାଖୋଲ ଓ ପରମାନନ୍ଦପୁର ଗ୍ରାମର ଗ୍ରାମବାସୀ ପ୍ରାୟ ରାତି ୧୨ ଟା ସୁଦ୍ଧା ବିଜୁଳି କାର୍ଯ୍ୟାଳୟକୁ ଫୋନ ମାଧ୍ୟମରେ ଯୋଗାଯୋଗ କଲେ ହେଲେ କୌଣସି ସମାଧାନ ନ ହେବାରୁ ପ୍ରାୟ ୪୦ ଜଣ ଯୁବକ ବିଲ ଭିତରେ ବିଦ୍ୟୁତ ଖୁଣ୍ଟତଳେ ରାତି ଉଜାଗର ରହି ପ୍ରତିବାଦ କରିଥିଲେ । ସକାଳେ କର୍ମଚାରୀ ମାନେ ଉକ୍ତ ସ୍ଥାନକୁ ଆସି ଉତ୍ୟକ୍ତ ଲୋକଙ୍କୁ ପ୍ରାୟ ୪ ଘଣ୍ଟା ସମୟ ବୁଝା ଶୁଝା କଲାପରେ ଲୋକେ ଶାନ୍ତ ହୋଇଥିଲେ। କର୍ମଚାରୀ ମାନେ ଆଗକୁ ସବୁ ସୁଧାର ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଯଦି ଆଗାମୀଦିନରେ ଘଟଣାର ପୁନରାବୃତ୍ତି ହୁଏ ତେବେ ଉଭୟ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ।

Recent Comments

Leave Comments

Top