logo
add image
ପରିବେଶ ଓ ପରିସ୍ଥିତି ଲେଖକଙ୍କୁ ଲେଖିବାକୁ ବାଧ୍ୟକରେ

ପରିବେଶ ଓ ପରିସ୍ଥିତି ଲେଖକଙ୍କୁ ଲେଖିବାକୁ ବାଧ୍ୟକରେ

ବଲାଙ୍ଗୀର/୨୯/୫/୨୦୨୫/(ଆଧାର ମିଡ଼ିଆ)-ଆମ ଆଖପାଖର ପରିବେଶ, ପରିସ୍ଥିତି ହିଁ ଲେଖକଟିଏକୁ ଲେଖିବା ପାଇଁ ବାଧ୍ୟ କରେ। ସାମାଜିକ ଗତି, ରୀତିରେ ଅବାଂଛିତ ପରିବର୍ତ୍ତନ ଦେଖି ଲେଖକଟିଏ ନଲେଖି ରହିପାରେ ନାହିଁ ବୋଲି ଲେଖେ। ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ମିଶ୍ରଙ୍କ ରଚିତ "ପ୍ରତିପନ୍ନ" ପୁସ୍ତକର ଲୋକାର୍ପଣ ଅବସରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାରର କୁଳସଚିବ ଡ.ନୃପରାଜ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଛନ୍ତି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତି ଡ. ଉମା ବଲ୍ଲଭ ମହାପାତ୍ର ପ୍ରତିପନ୍ନ ପୁସ୍ତକ ଓଡ଼ିଶାର ଅନେକ ଅନଲୋଚିତ ପ୍ରସଙ୍ଗ ଲୋକଲୋଚନକୁ ଆଣିବାରେ ସଫଳ ହୋଇଛି ବୋଲି କହିଥିଲେ।
 ସମ୍ମାନିତ ଅତିଥି ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସଚିବ ରାମଚନ୍ଦ୍ର ପଟେଲ ହଜି ଯାଉଥିବା ଅନେକ ଲୋକକଳା, ଲୋକ ସଂସ୍କୃତି ଓ ଐତିହାସିକ ଘଟଣାବଳିକୁ ଅତି ସୁନ୍ଦର ଭାବରେ ଚିତ୍ରଣ କରାଯାଇଥିବା ଏହି ପୁସ୍ତକ ଆଗାମୀ ପିଢ଼ିକୁ ନିଶ୍ଚିତଭାବେ ମାର୍ଗଦର୍ଶନରେ ସହାୟକ ହେବ ବୋଲି କହିଥିଲେ।ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟସ ବଲାଙ୍ଗୀର ଶାଖା ଆନୁକୂଲ୍ୟରେ ସଭାପତି ଶରତ ମହାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ରଘୁନନ୍ଦନ ସିଂହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସାମ୍ବାଦିକ ବୀରେନ୍ଦ୍ର ଝାଙ୍କର ଅତିଥି ପରିଚୟ ଦେଇଥିଲେ। ପ୍ରତିପନ୍ନ ପୁସ୍ତକର ଲେଖକ ବରିଷ୍ଠ ସାମ୍ବାଦିକ ଶ୍ରୀ ମିଶ୍ର ଲେଖକୀୟ ମନ୍ତବ୍ୟ ପ୍ରଦାନ କରିଥିଲେ। ଲିଲି ପଟେଲ ସଭା ସଂଯୋଜନା କରିଥିଲେ। ଏସ ୟୁ ଜେ ରାଜ୍ୟ ଉପସଭାପତି ମହେନ୍ଦ୍ର ଦର୍ଜି, ପ୍ରତିପନ୍ନ ସତ୍ଵାଧିକାରୀ ମାନସୀ ମିଶ୍ର, ଇଂ ସିଦ୍ଧାନ୍ତ ମିଶ୍ର, ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ରତିକାନ୍ତ କର୍ମୀ, ଜିଲ୍ଳା ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ଶିଶିର ଶତପଥୀ, ଆଇନଜୀବୀ ଅଶୋକ ରାଉତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ପ୍ରତିପନ୍ନ ପ୍ରଚ୍ଛଦ ଶିଳ୍ପୀ ରଜତ ପଟେଲଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଶ୍ରୋତା ମାନଙ୍କ ମଧ୍ୟରୁ ଶିକ୍ଷାବିତ ମନୋରଞ୍ଜନ ସାହୁ, ଜିଲ୍ଲା କୋଷାଗାର ଅଧିକାରୀ ଭୀମସେନ ବାଗ ଓ ଝରଣା ପାଢ଼ୀଙ୍କୁ ଭାଗ୍ୟଶାଳୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ ଧନ୍ୟବାଦ ଦେଇଥିଲେ। ଜିଲ୍ଲାର ଶତାଧିକ ବୁଦ୍ଧିଜୀବୀ, ସାମ୍ବାଦିକ, କବି, ସାହିତ୍ୟିକ, ରାଜନୈତିକ ନେତା, ଶିକ୍ଷକ, ଯୁବକ, ଛାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Recent Comments

Leave Comments

Top