logo
add image
କୁହୁଡିରେ ଲବଣ ସତ୍ୟାଗ୍ରହ ସ୍ମୃତି ସ୍ମାରକୀ ଦିବସ ପାଳିତ

କୁହୁଡିରେ ଲବଣ ସତ୍ୟାଗ୍ରହ ସ୍ମୃତି ସ୍ମାରକୀ ଦିବସ ପାଳିତ

ପୁରୀ/୨୧/୫/୨୦୨୫/(ଆଧାର ମିଡ଼ିଆ)-ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ସହୀଦ ସ୍ମୃତି ପୀଠ କୁହୁଡିଠାରେ ଆଜି ଲବଣ ସତ୍ୟାଗ୍ରହ ସ୍ମୃତି ସ୍ମାରକୀ ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ପ୍ରଶାସନ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଉତ୍କଳ ସଂଗ୍ରାମୀ ସ୍ମତି ସମିତି କାକଟପୁର ଅସ୍ତରଙ୍ଗ ପକ୍ଷରୁ ଏହା ପାଳିତ ହୋଇଥିଲା।ଏହି ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତ ପଣ୍ଡିତ ନିଳକଣ୍ଠ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା।କାର୍ଯ୍ୟକ୍ରମକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉଦଘାଟନ କରିବା ସହ ସହୀଦ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ନିଜ ଅଭିଭାଷଣ ଶ୍ରୀମତୀ ପରିଡା ସହୀଦ ମାନଙ୍କ ଅବଦାନ ଓ ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ତ୍ୟାଗ ଅବର୍ଣ୍ଣନୀୟ ବୋଲି କହିଥିଲେ।କୁହୁଡି ଏକ ଐତିହାସିକ ସ୍ଥାନ ଓ ଏହାକୁ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ରେ ପରିଣତ କରାଯିବ।ସେହିପରି କୁହୁଡିର ବିକାଶ ପାଇଁ ୫ କୋଟି ଟଙ୍କା ବ୍ଯୟ କରାଯିବା ସହ ଦାଣ୍ଡି ମାର୍ଚ୍ଚ ର ପ୍ରତିକୃତି, ଇଣ୍ଟରପ୍ରିଟେସନ ସେଣ୍ଟର ଓ ଅଙ୍ଗନବାଡି ସକ୍ଷମ କେନ୍ଦ୍ର କରାଯିବ।ପ୍ରାଚୀ ନଦୀର ସ୍ବଛତା ଓ ପାର୍ଶ୍ବରେ ଥିବା ମଠ ମନ୍ଦିରର ବିକାଶପାଇଁ ୪୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।ଅସ୍ତରଙ୍ଗରେ ପୋର୍ଟ, ପର୍ଯ୍ୟଟନ, ରାଜପଥ ଓ ସମୁଦ୍ର ଦୁଃସାହାସିକ କ୍ରୀଡା ବା ଆଡଭେନଚର ସ୍ପୋର୍ଟ୍ସର ବିକାଶ କରାଯିବ ବୋଲି ସୂଚନା ଦେବାସହ ସଂଘର୍ଷର ମାଟି ଶକ୍ତିଶାଳୀ ହୋଇଥାଏ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ଲୋକସଭା ସାଂସଦ ବିଭୂପ୍ରସାଦ ତରାଇ କୁହୁଡିକୁ ଆଦର୍ଶ ଗ୍ରାମ ଭାବେ ଗ୍ରହଣ କରିବାକୁ ସୂଚନା ଦେଇଥିଲେ।୧୯୩୦ରେ ଲବଣ ସତ୍ୟାଗ୍ରହ,୧୯୪୨ ରେ ଭାରତ ଛାଡ ଆନ୍ଦୋଳନ ଓ ୧୯୪୭ ସ୍ବାଧୀନତା ରେ ସଂଗ୍ରାମୀ ଙ୍କ ସଂଘର୍ଷର ପଟାନ୍ତର ନାହିଁ।ଆମକୁ ଅର୍ଥ ନୈତିକ ସ୍ବାଧୀନତା ପାଇଁ କାର୍ଯ୍ୟ କରି ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ବପ୍ନ କୁ ସାକାର କରିବାକୁ ଆହ୍ୱାନ ଦେଇଥିଲେ।
ମୁଖ୍ୟ ବକ୍ତାଭାବେ ବିଶିଷ୍ଟ ସ୍ତମ୍ଭକାର ତଥା ଗାନ୍ଧୀ ବାଦୀ ପ୍ରହଲ୍ଲାଦ ସିଂହ ଲବଣ ସତ୍ୟାଗ୍ରହ ଓ ମହାତ୍ମାଗାନ୍ଧୀଙ୍କ ସମ୍ପର୍କରେ ବିଷଦ ଆଲୋକପାତ କରିଥିଲେ। କାକଟପୁର ବିଧାୟକ ତୁଷାର କାନ୍ତୀ ବେହେରା,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧୀନ ନାୟକ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆରତୀ ନାଏକ, କାକଟପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ ଯୋଗଦେଇ ସଂଗ୍ରାମୀ ମାନଙ୍କ ତ୍ୟାଗ, ଆଦର୍ଶ ଓ ତିତିକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ।
ଲବଣ ସତ୍ୟାଗ୍ରହ ସମ୍ପର୍କରେ ଏକ ସ୍ମରଣିକାକୁ ଅତିଥି ମାନେ ଉନ୍ମୋଚନ କରିଥିବା ବେଳେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ପ୍ରାପ୍ତ ଶୁଭେଚ୍ଛା ବାର୍ତ୍ତା କୁ ଅଶୋକ କୁମାର ଶତପଥୀ ପଠନ କରିଥିଲେ।ଉପ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତା ଙ୍କୁ ଜାତୀୟ ଐକ୍ୟର ଶପଥ ପାଠ କରାଇଥିଲେ।ପ୍ରାରମ୍ଭରେ ଉତ୍କଳ ବନ୍ଦନା ପରିବେଷଣ ସହ ଲବଣ ସତ୍ୟାଗ୍ରହର ସହୀଦ ଓ ପହେଲଗାମର ମୃତକଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା।ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ସଭାପତି ଅମିୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ  ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ କଳାକାର ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।
ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।ପ୍ରାରମ୍ଭରେ ବ୍ଲକ ନିକଟରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ଓ ବ୍ଲକ ପରିସରରେ ଥିବା ସହୀଦ ସ୍ମୃତି ଫଳକରେ ମାଲ୍ୟାର୍ପଣ କରାଯାଇଥିଲା।ବ୍ଲକ ଛକଠାରୁ ଏକ ସଚେତନତା ଶୋଭାଯାତ୍ରା କୁହୁଡି ପର୍ଯ୍ୟନ୍ତ ଆସିଥିଲା।ବନବିହାରୀ ଗ୍ରହାଚାର୍ଯ୍ୟ ଲବଣ ସତ୍ୟାଗ୍ରହ ଉପରେ ଆଧାରିତ ପାଲା ପରିବେଷଣ କରିଥିବା ବେଳେ ସଂସ୍କୃତି ବିଭାଗ ପକ୍ଷରୁ ନାଚଘର ଅନୁଷ୍ଠାନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ପ୍ରତ୍ୟୁଷରୁ ରାମଧୂନ ପରିବେଷ ଣ ସହ ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନ ତୋ ପରିବେଷଣ କରାଯାଇଥିଲା।
ଅପରେସନ ସିନ୍ଦୂରର ସଫଳତା ପାଇଁ ସେନାକୁ ଧନ୍ୟବାଦ ଜଣାଇ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ସ୍ଥାନୀୟ ବିଡ଼ିଓ ସସ୍ମିତା ବେହେରା, ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି,ଉତ୍କଳ ସଂଗ୍ରାମ ସ୍ମୃତି ସମିତି ର କର୍ମକର୍ତ୍ତା, ଲୋକ ପ୍ରତିନିଧି, ସରକାରୀ ଅଧିକାରୀ ଓ କର୍ମଚାରୀ,ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସଂସ୍କୃତି ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ।

Recent Comments

Leave Comments

Top