logo
add image
ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷାକଲେ ଶିଳ୍ପମନ୍ତ୍ରୀ

ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷାକଲେ ଶିଳ୍ପମନ୍ତ୍ରୀ

ପୁରୀ/୨୯/୫/୨୦୨୫/(ଆଧାର ମିଡ଼ିଆ)-ସରକାରଙ୍କର ପ୍ରତିଟି ଯୋଜନା ସାଧାରଣ ଜନତାଙ୍କ ହିତପାଇଁ ଉଦିଷ୍ଟ।ଏହାର ସଫଳ ରୂପାୟନ ସହ ପ୍ରକୃତ ହିତାଧିକାରୀଙ୍କ ନିକଟରେ ସମସ୍ତ ଯୋଜନା ଯେପରି ପହଞ୍ଚେ ସେଥିପାଇଁ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ବାଇଁ।ଆଜି ଅପରାହ୍ନରେ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ପୁରୀ ଜିଲ୍ଲାରେ ବିଭିନ୍ନ ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ସମୀକ୍ଷା କରିଥିଲେ।ସାଧାରଣ ଜନତା ଯେମିତି ମୌଳିକ ସୁବିଧା ସୁଯୋଗ ପାଆନ୍ତି ଓ କୌଣସି ସମସ୍ୟା ପାଇଁ ଆଇନ ଅନୁଯାୟୀ ତ୍ବରିତ ସେବା ପାଇବେ ସେଥିପ୍ରତି ଯତ୍ନବାନ ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।
ରଥଯାତ୍ରା ଆସୁଥିବାରୁ ରାସ୍ତାଘାଟ ମରାମତି, ପାନୀୟ ଜଳ ବ୍ୟବସ୍ଥା, ପରିମଳ,ଆଲୋକ ବ୍ୟବସ୍ଥା, ଆଇନଶୃଙ୍ଖଳା,ପରିବହନ ବ୍ୟବସ୍ଥା, ଗମନାଗମନ, ପାର୍କିଂ ବ୍ୟବସ୍ଥା, ଟ୍ରାଫିକ ବ୍ୟବସ୍ଥା ଇତ୍ୟାଦି ଉପରେ ମନ୍ତ୍ରୀ ଗୁରୁତ୍ୱ ଦେବା ସହ କାର୍ଯ୍ୟ ତ୍ବରାନ୍ବିତ ପାଇଁ ନିର୍ଦ୍ଦେଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ,ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମସ୍ତଙ୍କୁ ସ୍ବାଗତ ସହ ଜିଲ୍ଲାର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ।ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ଜିଲ୍ଲାରେ ଆରକ୍ଷୀ ବିଭାଗର ସ୍ଥିତି ଓ କାର୍ଯ୍ୟକାରିତା ଆଇନ ଶୃଙ୍ଖଳା ପରିସ୍ଥିତି ଓ ରଥଯାତ୍ରା ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।
ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି କାର୍ଯ୍ୟସୂଚୀ ଅନୁସାରେ ବୈଠକ ପରିଚାଳନା କରିଥିଲେ।କୃଷି ଓ କୃଷକ ସଶକ୍ତୀକରଣ,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ବାଣିଜ୍ୟ ଓ ପରିବହନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ,ପୂର୍ତ୍ତ,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ,ପର୍ଯ୍ୟଟନ, ବିଦ୍ୟାଳୟ ଓ ଗଣଶିକ୍ଷା,ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି, ସମାଜ ମଙ୍ଗଳ, ସମାଜ କଲ୍ୟାଣ, ସୂଚନା ଓ ଲୋକ ସମ୍ପର୍କ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ଉଚ୍ଚ ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ମତ୍ସ୍ୟ ଓ ପଶୁ ସମ୍ପଦ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା,କ୍ରୀଡା ଓ ଯୁବ ବ୍ୟାପାର ଇତ୍ୟାଦି ବିଭାଗର ସମୀକ୍ଷା କରାଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ. ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଯୋଜନା ଓ ପର୍ଯ୍ଯାଲୋଚନା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଧର ସେଠୀ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଏହି ସମୀକ୍ଷା ରେ ମତାମତ ଦେଇଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Recent Comments

Leave Comments

Top