କାକଟପୁର/ ୯/୮/୨୦୨୫/(ଆଧାର ମିଡ଼ିଆ// ତୁଷାର ଦୀକ୍ଷିତ) :ପବିତ୍ର ରକ୍ଷାବନ୍ଧନ ଅବସରରେ ଅସ୍ତରଙ୍ଗ ମାଟିରେ ଶୁଭୁଛି କାନ୍ଦ ବୋବାଳି. ଶୋକାକୁଳ ପରିବେଶରେ ଶୁଭୁଚି ତୋପ ସଲାମୀର ଶବ୍ଦ। ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତ ସୁନ୍ଦର ଗ୍ରାମରୁ ଭାସି ଆସୁଛି ଏହିଶବ୍ଦ। ଏହି ଶବ୍ଦରେ ଲୁଚିଛି ଜଣେ ବୀର ଯୋଦ୍ଧାର ଅନ୍ତିମ କାହାଣୀ।
ସୁନ୍ଦର ଗ୍ରାମର ହିନ୍ଦୀଶିକ୍ଷକ ଅଚ୍ୟୁତାନନ୍ଦ ସାହୁଙ୍କ ବୀରପୁତ୍ର ସ୍ୱରାଜ୍ୟ ସାହୁ ୭ ତାରିଖ ଗୁରୁବାର ସହିଦ ହୋଇଛନ୍ତି। ଭାରତ ମାତାର ବୀରପୁଅ ସ୍ୱରାଜ୍ୟ ଥିଲେ ଭାରତୀୟ ବାୟୁ ସେନାର ଜଣେ ସର୍ଯ୍ୟାଣ୍ଟ। ଚାକିରିଆ ପୁଅପାଇଁ ବାପା ମା, ସ୍ତ୍ରୀ, ଚାରିବର୍ଷ, ଦେଢ଼ ବର୍ଷର କୁନିପୁଅ ଥିଲେ ଗର୍ବିତ. କିନ୍ତୁ ବିଧିର ବିଧାନ ଥିଲା ଅଲଗା. ଡ୍ୟୁଟିରେ ଥିବାବେଳେ ଆଗ୍ରା କ୍ୟାମ୍ପରେ ଜୁନ ୪ ତାରିଖରେ ଅକସ୍ମାତ ଏକ ଅଗ୍ନିକାଣ୍ଡ ଘଟିଥିଲା.ସେହି କ୍ୟାମ୍ପରେ ବାୟୁସେନାର ପାଖାପାଖି ୨୦୦ ସେନା କର୍ମୀଥିଲେ.କାଳେ ଅଗ୍ନି ଚାରିଆଡେ ବ୍ୟାପିବ ଅନ୍ୟ କ୍ଷୟ କ୍ଷେତିହେଵ ତେଣୁ ସେମାନଙ୍କୁ ରକ୍ଷା କରିବାପାଇଁ ସ୍ୱରାଜ୍ୟ ଅଗ୍ନିକୁ ଆୟତ୍ତ କରିବା ପାଇଁ ଅଗ୍ନିନିର୍ବିପାକ ସିଲିଣ୍ଡରର ବ୍ୟବହାର କରିଥିଲେ. ହେଲେ ସମସ୍ତସେନା ରକ୍ଷା ପାଇଗଲେ ସତ କିନ୍ତୁ ସ୍ୱରାଜ୍ୟ ସେଇ ଧୂଆଁରେ ଗୁରୁତର ହୋଇଗଲେ. ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା ମାତ୍ର ଦୀର୍ଘ ୨ ମାସ ଜୀବନ ସହିତ ଲଢେଇ କରି ଶେଷରେ ଅଗଷ୍ଟ ୭ ତାରିଖ ଗୁରୁବାର ଦିନ ସହିଦ ହୋଇ ଦେଶ ମାତୃକା ପାଇଁ ଦେଲେ ବଳିଦାନ।
ଶନିବାର ତାଙ୍କ ମର ଶରୀରକୁ ବାୟୁ ସେନାର ସ୍ୱତନ୍ତ୍ର ଟିମ୍ ଆଣି ଅସ୍ତରଙ୍ଗ ଉକୁଳେଇ ସ୍ଥିତ ପୂର୍ବତନ ସେନା ସଙ୍ଘ କାର୍ଯ୍ୟାଳୟ ସାମ୍ନାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ବିରାଟ ଶୋଭାଯାତ୍ରାରେ ତାଙ୍କୁ ଅସ୍ତରଙ୍ଗ ବଜାର,ସୁନ୍ଦରସ୍ଥିତ ତାଙ୍କ ସ୍କୁଲରେ ଶ୍ରଦ୍ଧା ଞ୍ଜଳି ଦେବାପରେ ବାସ ଭବନକୁ ଅଣାଯାଇଥିଲା। ସେନା ପକ୍ଷରୁ ତାଙ୍କ ମର ଶରୀର ଉପରେ ଜାତୀୟ ପତାକା ପକାଯାଇ ତାଙ୍କ ବାସ ଭବନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ପରେ ତାଙ୍କ ଗ୍ରାମ ସ୍ମଶାନକୁ ନିଆଯାଇଥିଲା. ସେଠାରେ ଭାରତୀୟ ବାୟୁ ସେନା ତରଫରୁ ରାଷ୍ଟ୍ରୀୟ ତୋପ ସଲାମୀ ଦିଆଯାଇ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
ଅସ୍ତରଙ୍ଗ ଅଞ୍ଚଳରୁ ସହିଦଙ୍କ ଶେଷଦର୍ଶନ ପାଇଁ ଶହ ଶହ ଲୋକଙ୍କ ସହିତ ସ୍ୱାଧୀନ କୁମାର ନାୟକ,ସୁବ୍ରତ ଛାଟୋଇ,ଦିବାକର ଛାଟୋଇ,ବାଇଧର ମଲ୍ଲିକ,ସତ୍ୟବ୍ରତ ଲେଙ୍କାଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବୁଦ୍ଧିଜୀବୀ ଏକତ୍ରିତ ହୋଇଥିଲେ। ବୀର ପୁଅ କୁ ହରାଇ ସୁନ୍ଦର ଗ୍ରାମରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା,ଗ୍ରାମ ବାସୀ ଦୁଃଖରେ ଭାଙ୍ଗିପଡି ସହିଦଙ୍କୁ ବିଦାୟ ଦେଲାବେଳେ ସ୍ୱରାଜ ଅମରରହେ ଶବ୍ଦରେ ସମ୍ପୂର୍ଣ୍ଣ ଅଞ୍ଚଳ ପ୍ରକମ୍ପିତ ହେଉଥିଲା।
Recent Comments