logo
add image
 ଜମନକିରା ବ୍ଲକରେ ୭୯ତମ ସ୍ଵାଧୀନତା ଦିବସ ପାଳନ.

ଜମନକିରା ବ୍ଲକରେ ୭୯ତମ ସ୍ଵାଧୀନତା ଦିବସ ପାଳନ.

ଜମନକିରା/ସମ୍ବଲପୁର/୧୬/୦୮/୨୦୨୫/(ଆଧାର ମିଡ଼ିଆ): ସ୍ଥାନୀୟ ଡ଼ାକ୍ତରଖାନା ପଡ଼ିଆ ଠାରେ ବ୍ଲକ୍ ସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ଶନିବାର ସମାରୋହରେ ପାଳିତ ହୋଇଥିଲା। ପୂର୍ବାହ୍ନ ୯ଟାରେ ଷଣ୍ଢପଥର ଆଶ୍ରମ ସ୍କୁଲ୍, ହାଇସ୍କୁଲ୍, ଷଣ୍ଢପଥର ଓ ଜମନକିରା ଉଚ୍ଚ ମାଧ୍ୟମିକ ସ୍କୁଲ ,ଏନସିସି ଦଳ, ଚିନିମହୁଲ୍ ଆଦର୍ଶ ସ୍କୁଲ୍, ଗୁଡ଼ ସମାରିତନ୍ ଇଂରାଜୀ ମାଧ୍ୟମ ସ୍କୁଲ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର,ଟାଙ୍ଗରମାଲ ତଥା ବିଭିନ୍ନ ସ୍କୁଲ୍,କଲେଜ୍ ,ଶିକ୍ଷାନୁଷ୍ଠାନ ଗୁଡିକରୁ ଶତାଧିକ ଛାତ୍ର ଛାତ୍ରୀ ପ୍ରଭାତରୁ ଫେରି ଏଠାକୁ ପହଁଚି ଲମ୍ବା ଧାଡ଼ିରେ ସମବେତ ହୋଇଥିଲେ। ସମାରୋହରେ ମୁଖ୍ୟଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଆଶ୍ରିତା ଭୋଇ ଏବଂ ସମ୍ମାନିତ ଅତିଥି ଭାବେ ବିଡ଼ିଓ ରବିନ୍ଦ୍ର କୁମାର୍ ସେଠୀ, ତହସିଲଦାର ପ୍ରବୀଣା ବିଲୁଙ୍ଗ, ଅତିରିକ୍ତ ତହସିଲଦାର ସୌରଭ ସାହୁ, ଏବିଡ଼ିଓ ମହିମା ସାହୁ, ଏଇଇ ସତ୍ୟଜିତ ସାହୁ, ବିଇଓ ରୁକ୍ମଣ ପ୍ରଧାନ, ଆଇଆଇସି ପଦ୍ମାଳୟା ସାହୁ, ଏପିଓ ମନୋଜ୍ ଭୋଇ, ସାଂସଦଙ୍କ ବ୍ଲକ୍ ପ୍ରତିନିଧି ରମେଶ ସାହୁ , ସମାଜସେବୀ ଆଦିପ୍ରସାଦ ମହାକୁଲ ପ୍ରମୁଖ ମଞ୍ଚାସିନ ଅତିଥି ଯୋଗ ଦେଇଥିଲେ। ଜାତୀୟ ସଂଗୀତ ଗାନ ପରେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଆଶ୍ରିତା ଭୋଇ ସମବେତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରି କହିଥିଲେ, ଆଜି ଦେଶ ୭୯ ତମ ସ୍ଵାଧୀନତା ଦିବସ ପାଳନ କରୁଛି। ୧୯୪୭ ମସିହା ପୂର୍ବରୁ ପରାଧୀନ ଭାରତ ଇଂରେଜ ମାନଙ୍କ ଦ୍ଵାରା ଶାସିତ ହେଉଥିଲା। ଯେଉଁ ବୀର ସଂଗ୍ରାମୀ ମାନେ ପରାଧୀନ ଦେଶକୁ ବହୁ କଷ୍ଟ ତ୍ୟାଗ, ବଳିଦାନ ଦେଇ ସ୍ଵାଧୀନତା ଆଣିଦେଇଥିଲେ। ଏମାନଙ୍କ ମଧ୍ୟରୁ ଭଗତ ସିଂ, ମହାତ୍ମା ଗାନ୍ଧୀ, ସୁବାଷ ଚନ୍ଦ୍ର ବୋଷ, ବୀର ସୁରେନ୍ଦ୍ର ସାଏ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍,ବାଜି ରାଉତ ଅନନ୍ୟ। ତୁମପରି ୧୨ ବର୍ଷର ବାଳକ ବାଜି ରାଉତ୍ ଦେଶପ୍ରେମ ପାଇଁ ଆଜି ତାଙ୍କୁ ଦେଶ ଝୁରୁଛି।ନିଜ ଜୀବନକୁ ବାଜି ଲଗାଇ ଇଂରେଜ ସିପାହୀଙ୍କୁ ଡଙ୍ଗାରେ ଯିବାକୁ ଦେଇ ନ ଥିଲେ। ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ, ନିଃସ୍ଵାର୍ଥପର ତ୍ୟାଗ, ନିଜକୁ ବଳିଦାନ ଯୋଗୁଁ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନ ହେଲା । ସେହି ଅମର ବୀର ସହୀଦ ସଂଗ୍ରାମୀଙ୍କୁ ଆଜି ଦେଶ ଜାତି ସ୍ମୃତିଚାରଣ କରୁଛି ବୋଲି କହିଥିଲେ।  ପିଇଟି ନାରାୟଣ ପଧାନ, ରଞ୍ଜନ ମହାକୁଲ୍, ତପନ୍ ଖୁଣ୍ଟିଆ ପ୍ରମୁଖ ସମବେତ ପ୍ୟାରେଡ୍ କୁ ପରିଚାଳନା କରିଥିଲେ। ପୁର୍ବରୁ ଅନୁଷ୍ଠିତ ବିଭିନ୍ନ ଖେଳ, ଗୀତ, ନାଚ, କୁଇଜ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀଙ୍କୁ ବ୍ଲକ୍ ପ୍ରଶାସନ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା। ଅବସରପ୍ରାପ୍ତ ଶିକ୍ଷକ ଦିଲ୍ଲୀପ ବୋହିଦାର ଏଵଂ ପିଇଟି ରଞ୍ଜନ ମହାକୁଲ୍ ଉଦଘୋଷକ ଦାୟିତ୍ଵ ତୁଲାଇଥିଲେ। ଶେଷରେ  ସମସ୍ତଙ୍କୁ ସ୍ଵାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ବ୍ଲକ୍ ଏକାଉଣ୍ଟ୍ ଅଫିସର୍ ଋଷଭ ମାଝି ଜଣାଇ ଥିଲେ। ଏଥିସହ ବ୍ଲକ୍ ସାମ୍ବାଦିକ ୟୁନିଅନ୍ , ମୃତ୍ତିକା ସଂରକ୍ଷଣ ଅଫିସ୍, ଥାନା , ବ୍ୟାଙ୍କ୍, ବ୍ଲକ୍ ଅଫିସ୍ ସାଙ୍ଗକୁ ବିଭିନ୍ନ ସରକାରୀ ଦପ୍ତର ଗୁଡ଼ିକରେ ସ୍ଵାଧୀନତା ଦିବସ ପାଳନ କରାଯାଇଥିଲା।

Recent Comments

Leave Comments

Top