କଣିହାଁ/୧୧/୨/୨୦୨୫/ (ଆଧାର ମିଡ଼ିଆ)- ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅଧୀନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଇଣ୍ଡାଠାରେ ମଙ୍ଗଳବାର ଦିନ ବଡଗୁଣ୍ଡୁରୀ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ସମଗ୍ର ଶିକ୍ଷା ଓ ନିପୁଣ ଓଡିଶା ଆନୁକୂଲ୍ୟରେ ଅନୁଷ୍ଠିତ ଏହି ନିପୁଣ ଓଡିଶା ମେଳା ସମାରୋହରେ ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ନାଏକ ସଭାପତିତ୍ୱ କରିଥିଲେ। ମୁଖ୍ଯ ଅତିଥି କଣିହାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଜନ କୁମାର ସାହୁ, ମୁଖ୍ଯ ବକ୍ତା ଭାବେ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବାଗ୍ମୀ ମିଶ୍ର, ସମ୍ମାନୀତ ଅତିଥିଭାବେ ଡାକେଶ୍ୱରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେଶ କୁମାର ଦାସ, ବଡଗୁଣ୍ଡୁରୀ ସରପଞ୍ଚ ସତ୍ୟାନନ୍ଦ ପ୍ରଧାନ, ଏସଏମସି ଅଧ୍ଯକ୍ଷ ନିତ୍ୟାନନ୍ଦ ବେହେରା, କ୍ଲଷ୍ଟର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ସାହୁ, ଗୋଇଲାଣ୍ଡ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ ଯୋଗ ଦେଇ ବକ୍ତବ୍ଯ ପ୍ରଦାନ କରିଥିଲେ।
ଏହି ସମାରୋହରେ ସମସ୍ତ ଅତିଥି ଓ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ କ୍ଲଷ୍ଟରର ସିଆରସିସି ନୀଳମଣି ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଥିଲେ। ଶିକ୍ଷକ ଲକ୍ଷ୍ମଣ କୁମାର ସାହୁ ଅତିଥି ପରିଚୟ କରାଇବା ସହିତ ମଞ୍ଚ ପରିଚାଳନା କରିଥିଲେ। ସଭାକାର୍ଯ୍ୟ ପରେ ନିପୁଣ ଓଡିଶା ମେଳାର ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସଂପର୍କିତ ଶିକ୍ଷଣ ସାଧନ ଉପକରଣ ପ୍ରଦର୍ଶନୀକୁ ଅତିଥିମାନେ ଉଦଘାଟନ କରି ପରିଦର୍ଶନ କରିଥିଲେ। ପରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ଉଭୟ ମୌଳିକ ସାକ୍ଷରତା ଓ ମୌଳିକ ସଂଖ୍ଯା ଜ୍ଞାନ ପ୍ରଦର୍ଶନୀରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ। ଶିକ୍ଷକ ମୁନା ନାଏକ ପୁରସ୍କାର ବିତରଣ ସଭାକୁ ପରିଚାଳନା କରିବା ସହିତ ଧନ୍ଯବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦେଇ ସହଯୋଗ କରିଥିଲେ।
Recent Comments