କଟକ/୦୭/୦୨/୨୦୨୬/(ଆଧାର ମିଡ଼ିଆ,-ପରମେଶ୍ୱର ପରିଡା)-ଜଗତପୁର ଶିଳ୍ପାଞ୍ଚଳର ଅହେତୁକ ବୃଦ୍ଧି ଯୋଗୁଁ ଗ୍ରାମାଞ୍ଚଳକୁ ବଢ଼ିବାରେ ଲାଗିଛି କଳକାରଖାନା । ଗ୍ରାମାଞ୍ଚଳରେ ଶିଳ୍ପ ପ୍ରତିଷ୍ଠାନ ଗଢ଼ିବା ପାଇଁ ସରକାର କେତେକ ନିୟମ ପ୍ରଣୟନ କରିଛନ୍ତି,ମାତ୍ର କଟକ ମୁନସିପାଲଟି ଅନ୍ତର୍ଗତ ୪୯ ନଂ ୱାର୍ଡ ଜଗତପୁର ଇମାମ୍ ନଗର ପାର୍ଶ୍ୱରେ ଥିବା ସାଲେପୁର ବ୍ଲକ୍ ଅନ୍ତର୍ଗତ ଚମ୍ପତ୍ତି ପଞ୍ଚାୟତ ଗୋପିନାଥ ପୁର ଓ ଅଣ୍ଢେଇ ସାହି ଅଞ୍ଚଳରେ ଜିଓ କମ୍ପାନୀର ଷ୍ଟକୟାର୍ଡ, ଶ୍ୟାମ୍ ଇଣ୍ଡୋଷ୍ଟ୍ରୀ,ଡାଲିମିଲ୍,ଶ୍ୟାମ୍ କ୍ୟାଟେଲ ଫିଡ୍,ମ୍ୟାଜିକ ପ୍ଲାଷ୍ଟିକ,ଓ ଭୂବନେଶ୍ବର ହେଲଥ୍ କେୟାର ଭଳି ୧୦୦ ରୁ ଉର୍ଦ୍ଧ୍ବ ଶିଳ୍ପ ପ୍ରତିଷ୍ଠାନ ଗଢିଉଠିଛି । ତେବେ ଏହି ଶିଳ୍ପାନୁଷ୍ଠାନ ଗୁଡିକ ଗ୍ରାମ ପଞ୍ଚାୟତ ଧାରା ୫୩,୫୬,ଓ ୮୩ ଅନୁଯାୟୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଜଣାପଡ଼ିଛି।
ଏପରିକି ବିଭିନ୍ନ ସମୟରେ କେତେକ ଶିଳ୍ପାନୁଷ୍ଠାନ ଗ୍ରାମ ପଞ୍ଚାୟତର ନକଲି ଆଦେଶ ପତ୍ରକୁ ଦର୍ଶାଇ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ଗଢ଼ିବାରେ ଲାଗିଛନ୍ତି। ଫଳରେ ପଞ୍ଚାୟତ ରାଜସ୍ୱ ହାନି ହେବାସହ ପରିବେଶ ଓ ବାୟୁ ମଣ୍ଡଳକୁ ଦୂଷିତ କରାଉଛନ୍ତି। ଯଦି ଏହିଭଳି ଭାବେ ବେଆଇନ ଶିଳ୍ପାଞ୍ଚଳ ଗୁଡ଼ିକ ଗ୍ରାମାଞ୍ଚଳରେ ଗଢିଉଠିବ ତେବେ ଆଗାମୀ ଦିନରେ ଅଞ୍ଚଳବାସୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହେବ। ତେଣୁ ଏବେଠାରୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Recent Comments